୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ; ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଉଛି।
ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଗସ୍ତ ପାଇଁ ଏକ ପ୍ରାରମ୍ଭିକ ଖସଡ଼ା କାର୍ଯ୍ୟସୂଚୀ ଓଡ଼ିଶା ସରକାରଙ୍କୁ ପଠାଯାଇଛି। ସେହି କାର୍ଯ୍ୟସୂଚୀ ଅନୁସାରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ଯୋଗଦେବେ। ତେବେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପ୍ରସ୍ତୁତି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା, ଯାତାୟାତ, ରହଣି, ସଭାସ୍ଥଳ ପ୍ରସ୍ତୁତି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା ଚାଲିଥିବାବେଳେ, ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

