ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର; ଦକ୍ଷିଣ ମୋଡ଼ ନେଲେ ତିନି ରଥ
ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି। ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ବୁଧବାର ସକାଳେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ନିକଟରେ ରଖାଯାଇଛି। ଏହାପୂର୍ବରୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ଼ ସମ୍ପନ୍ନ ହୋଇଥିଲା।
ହେରା ପଞ୍ଚମୀ ନୀତିରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଭେଟିପାରି ନଥିବାରୁ ଅଭିମାନ ପ୍ରକାଶ କରି ନନ୍ଦିଘୋଷ ରଥର ଏକ କାଠ ଭାଙ୍ଗିଥିଲେ। ପରେ ଗଜପତି ମହାରାଜଙ୍କୁ ସନ୍ଦେଶ ଦେଇ ନିଜ ପୂର୍ବରୁ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା କଥା କହିଥିଲେ। ଏହି ପାରମ୍ପରିକ ନୀତି ପରେ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଥାଏ।
ଆସନ୍ତା ୨୪ ତାରିଖ ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ସେଦିନ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏହି ଐତିହାସିକ ଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢ଼ିଥିବା ବେଳେ ପ୍ରଶାସନ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତିକୁ ଚୂଡ଼ାନ୍ତ କରୁଛି।

