Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ଅଲପୋ ଅଲପୋ ମେଘ ଥେକେ ହାଲକା ବ୍ରିଷ୍ଟି ହୋଏ”, ବାହାନଗା ଟ୍ରାକରୁ ମିଳିଲା ଲଭ ଲେଟର

ବାଲେଶ୍ଵର: ବାହାନଗା ଟ୍ରେନ୍ ଟ୍ରାଜେଡି ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଛି। ଟ୍ରାକର ଧ୍ୱଂସାବଶେଷ ଓ ମରାମତି କାମ ସରିବା ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ଅବସ୍ଥାକୁ ଫେରିବାରେ ଲାଗିଛି। ଏହି ଦୁର୍ଘଟଣାରେ କିଏ କାହାକୁ ହରାଇଛି ତାହା ଶବ୍ଦରେ ବର୍ଣ୍ଣନା କରିବା ବହୁତ ମୁସ୍କିଲ। ତେବେ ରେସ୍କ୍ୟୁ ଅପରେସନ ସମୟରେ ଟ୍ରାକରେ ପଡିଥିବା ଏମିତି ଅନେକ ଜିନିଷ ମିଳିଛି ଯାହା ଦେଖିଲେ ଲୋକଙ୍କ ଆଖିରେ ଲୁହ ଚାଲି ଆସୁଛି।

କେଉଁଠି ଜୋତା ପଡ଼ିଛି ତ କେଉଁଠି ପୂରା ବ୍ୟାଗ। କେଉଁଠି ଅଧା ଖୋଲା ପାଣି ବୋତଲ ତ ଆଉ କେଉଁଠି ଖେଳନା ବିଛାଡି ହୋଇ ପଡିଛି। ଟ୍ରାକରେ ଅନେକ ସ୍ମୃତି ଏବଂ ଅନେକ ଆଶା ଦବି ହୋଇ ଯାଇଛି। ଭୟଙ୍କର ବିଭୀଷିକା ମଧ୍ୟରେ କିଛି ପୃଷ୍ଠା ସଭିଙ୍କ ଧ୍ୟାନ ଆକର୍ଷିତ କରିଛି। ଏହି ପୃଷ୍ଠା ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ପୃଷ୍ଠାରେ ପ୍ରେମ କବିତା ଲେଖା ହୋଇଛି। ଦୁର୍ଘଟଣାସ୍ଥଳରୁ ଏକ ରଙ୍ଗ ବେରଙ୍ଗିର ନୋଟ୍ ବୁକ୍ ମିଳିଛି। ଯେଉଁଥିରେ ଲାଲ, ନୀଳ, ସବୁଜ ଏବଂ ଗୋପାଲୀ ରଙ୍ଗର ଫୁଲର ଚିତ୍ର ଅଙ୍କା ହୋଇଛି।

ପୃଷ୍ଟାରେ ଲେଖା ହୋଇଥିବା ପ୍ରତି ଶବ୍ଦ ପଢିଲେ ଲାଗୁଛି ବ୍ୟକ୍ତି ଜଣକ ନିଜ ପ୍ରେମକୁ ସଭିଙ୍କ ଆଖିରୁ ଦୂରେଇ ରଖିଥିଲେ। ପ୍ରେମିକାଙ୍କ ପାଇଁ ସେ ଏପରି ଶବ୍ଦର ସଂଯୋଜନା କରିଥିଲେ ଥିଲେ ଯାହାକୁ ପଢିଲେ ଆଖି ଲୁହରେ ଜକେଇ ଯାଉଛି। ଚିଠିରେ କବିତାଟି ବଙ୍ଗାଳୀ ଭାଷାରେ ଲେଖାଯାଇଛି।

“ଅଲପୋ ଅଲପୋ ମେଘ ଥେକେ ହାଲକା ବ୍ରିଷ୍ଟି ହୋଏ, ଛୋଟ ଛୋଟେ ଗୋଲପେ ଥେକେ ଭାଲୋବାସା ସୃଷ୍ଟି ହୋଏ।” ବଙ୍ଗଳା ଭାଷାରେ ଲିଖିତ ଏହି କବିତାର ଅର୍ଥ ହେଉଛି- ” ଅଳ୍ପ ଅଳ୍ପ ମେଘରୁ ହାଲୁକା ବର୍ଷା ହୁଏ, ଛୋଟ ଛୋଟ କଥାରୁ ଭଲ ପାଇବା ସୃଷ୍ଟି ହୁଏ। ଏହି ପୃଷ୍ଠାଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପୃଷ୍ଠାରେ ଇଂରାଜୀରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି I LOVE YOU।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦଳ ଏବଂ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି କବିତାର ପୃଷ୍ଠାଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ତେବେ ଏହା କିଏ ଲେଖିଛନ୍ତି, ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କେହି ମଧ୍ୟ ଏ ପର୍ଯ୍ୟନ୍ତ ଦାବି କରି ନାହାନ୍ତି। ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହା ଖବରର ଶିରୋନାମା ପାଲଟିଛି।

ତେବେ ଏହି କବିତା କିଏ ଲେଖିଛି, କାହାକୁ ଜଣା ନାହିଁ। ଲେଖିଥିବା ପୁରୁଷ/ମହିଳା ଜୀବିତ ଅଛନ୍ତି କି ନାହିଁ ତାହା ବି ଜଣା ନାହିଁ। ଏହି ନୋଟବୁକ୍ ଏକ ବ୍ୟାଗ ନିକଟରେ ପଡ଼ିଥିଲା। ହେଲେ ଏହା ଉପରେ ନା କାହାର ନାମ ଲେଖା ହୋଇଛି ନା ଠିକଣା। ନୋଟବୁକର ପ୍ରତିଟି ପୃଷ୍ଠାରେ ପ୍ରେମ କବିତା ଲେଖା ହୋଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ବାହାନଗାରେ ୩ଟି ଟ୍ରେନ ମଧ୍ୟରେ ଘଟଥିବା ଭୟାନକ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାର ସିବିଆଇ ତଦନ୍ତ ସୁପାରିସ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏଥିସହ ଆମ କାମ ଏ ଯାଏ ସରିନି। ନିଖୋଜ ବ୍ୟକ୍ତି କିମ୍ବା ମିଳିନଥିବା ମୃତଦେହକୁ ପରିବାର ପାଖରେ ପହଞ୍ଚାଇବୁ ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।