କଣ୍ଟାବାଞ୍ଜିରେ ଧୂମଧାମରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଭଜନ କୀର୍ତ୍ତନ ଓ କୁନି କୃଷ୍ଣଙ୍କ ରୂପରେ ବିଭୋର ହେଲେ ଶ୍ରଦ୍ଧାଳୁ ।
ବଲାଙ୍ଗୀର,୫।୯: ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ କଣ୍ଟାବାଞ୍ଜି ସହରରେ ଏକ ଭକ୍ତିପୂର୍ଣ୍ଣ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସହରର ବିଭିନ୍ନ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ହରିନାମ ସଂକୀର୍ତ୍ତନ, ଭଜନ ସନ୍ଧ୍ୟା ଏବଂ ନନ୍ଦୋତ୍ସବ ବେଶ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ରାମ ମନ୍ଦିରରେ ରାମାୟଣ ମଣ୍ଡଳୀ ପକ୍ଷରୁ ଭଜନ ପରିବେଶିତ ହୋଇଥିବା ବେଳେ, ଶ୍ରୀ ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ରୋଡ୍ ନମ୍ବର-୨ ସ୍ଥିତ ଶ୍ରୀ ରାଧା-କୃଷ୍ଣ ମନ୍ଦିରରେ ବିଶେଷ କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା। ଟ୍ରଷ୍ଟର ସଭାପତି ଅଶୋକ ଛାପଡିୟା ଓ ସମ୍ପାଦକ ଲଳିତ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ରାତି ୮ଟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଛତିଶଗଡ଼ର ପିଠୋରାରୁ ଆସିଥିବା କଳାକାର ଜିତୁ ଓ ପାୟଲ ଗାଭେଲଙ୍କ ଭକ୍ତିରସାତ୍ମକ ଭଜନ ଗାୟନରେ ଶ୍ରଦ୍ଧାଳୁମାନେ ବିଭୋର ହୋଇଥିଲେ। ଠିକ୍ ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ, ମହାଆରତୀ ଓ ପ୍ରସାଦ ବଣ୍ଟନ କରାଯାଇଥିଲା।
ଅନ୍ୟପଟେ ଇସ୍କନ ପକ୍ଷରୁ ସେପ୍ଟେମ୍ବର ୪ ଓ ୫ ତାରିଖ ଦୁଇଦିନ ଧରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମ ସହ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ସୁବ୍ୟବସ୍ଥା କରାଯାଇଥିଲା। ପୂଜକ ପଦ୍ମନନ୍ଦ ଦାଶଙ୍କ ପୁରୋହିତତ୍ୟରେ ଆୟୋଜିତ ପୂଜାର୍ଚ୍ଚନାରେ ମୁଖ୍ୟ କର୍ତ୍ତା ଭାବେ ଅଧ୍ୟାପକ ଅଶ୍ୱିନୀ କୁମାର ମେହେର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ମେହେର ଯୋଗଦେଇ ନୀତିକାନ୍ତି ସମ୍ପାଦନ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ କୁନି କୁନି ଛୁଆଙ୍କ ପାଇଁ ଆୟୋଜିତ ‘କୃଷ୍ଣ ରୂପ’ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ସମସ୍ତଙ୍କ ମନ ମୋହିଥିଲା। କୁନି କୁନି ଶିଶୁମାନେ କୃଷ୍ଣ ବେଶରେ ସଜ୍ଜିତ ହୋଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଭାବବିହ୍ୱଳ କରିଦେଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅମିତ ଅଗ୍ରୱାଲ ଲାଲା, ହରିହର ଠାକୁର, ରବୁ ଅଗ୍ରୱାଲଙ୍କ ସମେତ ସହରର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମରୂପ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। “ଜୟ ଶ୍ରୀକୃଷ୍ଣ” ଧ୍ୱନି ଓ ହରିନାମ ସଂକୀର୍ତ୍ତନରେ ସମ୍ପୂର୍ଣ୍ଣ କଣ୍ଟାବାଞ୍ଜି ସହର ଭକ୍ତିମୟ ହୋଇ ଉଠିଥିଲା।

