ଜମନକିରା ବ୍ଲକ ଗୁଲଜିପାଲି ପ୍ରାଥମିକ ବିଦ୍ୟାଳୟର ଦୁର୍ଦ୍ଦଶା: ଅନୁଦାନ ସତ୍ତ୍ୱେ ଅର୍ଦ୍ଧନିର୍ମିତ କୋଠରୀ, ତଦାରଖ କରି ସମାଧାନ କରାଯିବ କହିଲେ ବିଡିଓ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାସିମାଲ ପଞ୍ଚାୟତର ଗୁଲଜିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜି ଚରମ ପ୍ରଶାସନିକ ଉଦାସୀନତା ଓ ଅବହେଳା ମଧ୍ୟରେ ଗତି କରୁଛି। ୧୯୮୬ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ମୀରା ପଟେଲ କହିଛନ୍ତି ଯେ, ଦୀର୍ଘ ୩୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବିଦ୍ୟାଳୟର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ବିଦ୍ୟାଳୟରେ ୭୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ଛ’ଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି କୋଠରୀ ରହିଛି, ଯେଉଁଥିରେ ସମସ୍ତ ଶ୍ରେଣୀର ପିଲା ଏକାଠି ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ସମାଧାନ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲେ ହେଁ ତାହା ଆଜି ବି ଅର୍ଦ୍ଧନିର୍ମିତ ଓ ଅଧପନ୍ତରିଆ ହୋଇ ପଡ଼ିରହିବା ସହ ସମଗ୍ର ପରିସର ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଛି। ଆହୁରି ମଧ୍ୟ, ଛଅଟି ଶ୍ରେଣୀ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଥିବାରୁ ଶିକ୍ଷାଦାନ ବ୍ୟାହତ ହେଉଥିବା ବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା କିଚେନ ଘରଟି ସମ୍ପୂର୍ଣ୍ଣ ଗୁରୁତର ତଥା ସଙ୍କଟାପନ୍ନ ଅବସ୍ଥାରେ ରହିଛି, ପାନୀୟ ଜଳ ଯୋଗାଣ ପାଇଁ ମୋଟର ନାହିଁ ଏବଂ ଶୌଚାଳୟ ଅତି ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି। ଏସବୁ ସମସ୍ୟାର ସମାଧାନ ତଥା ଆବଶ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ପ୍ରଧାନ, ସଭ୍ୟା ଜସ୍ମିନି ରକ୍ସା, ସଭ୍ୟ ହେମାନନ୍ଦ ଗୌଡ଼, ଜୟକୁମାରୀ କିଶାନ ଏବଂ ସିଆରସିସି ଗୋପାଳଜୀ ନାୟକ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର କରାଯାଉନାହିଁ।
ଏହି ସମସ୍ୟା ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଦେବକୀ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ଖୁବଶୀଘ୍ର ସ୍କୁଲ ପରିଦର୍ଶନ କରି ପ୍ରତିକାର କରିବେ ବୋଲି କହିଥିବା ବେଳେ, ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ରବୀନ୍ଦ୍ର କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ଲକ ପ୍ରଶାସନ ତରଫରୁ ଖର୍ଚ୍ଚ କରାଯାଇଥିବା ୩ ଲକ୍ଷ ଟଙ୍କାର ଉପଯୁକ୍ତ ତଦାରଖ କରାଯିବ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି କହିଥିଲେ।

