୧୬ ବର୍ଷ ପରେ ମିଳିଲା ନ୍ୟାୟ: ହତ୍ୟା ମାମଲାରେ ବେଲପଡ଼ା ସରପଞ୍ଚଙ୍କ ସହ ୪ ଜଣଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ।
ବଲାଙ୍ଗୀର,୫।୯: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ଏକ ଚର୍ଚ୍ଚିତ ହତ୍ୟା ମାମଲାରେ ଦୀର୍ଘ ୧୬ ବର୍ଷ ପରେ ରାୟ ପ୍ରକାଶ ପାଇଛି। ବଙ୍ଗୋମୁଣ୍ଡା ବ୍ଲକ୍ ବେଲପଡ଼ା ପଞ୍ଚାୟତର ସରପଞ୍ଚ ଖରତ ବାଗଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ADJ କୋର୍ଟ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୦ ମସିହା ନଭେମ୍ବର ୨୧ ତାରିଖରେ ଗନ୍ଧର୍ଲା ଗ୍ରାମର ରବି ନାଗ ନିଜ ପରିବାର ସହ ଚାଷ ଜମିରେ କାମ କରୁଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତମାନେ ଠେଙ୍ଗା-ବାଡ଼ିରେ ସଂଘାତିକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରବି ନାଗଙ୍କର ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଗୁରୁତର ଆ his ହୋଇଥିଲେ।
ଅଦାଲତରେ ଚାଲିଥିବା ଏହି ମାମଲାରେ ୧୮ ଜଣ ସାକ୍ଷୀଙ୍କ ବୟାନ, ୧୪ଟି ଦସ୍ତାବିଜ୍ ଏବଂ ପୋଲିସ ଚାର୍ଜସିଟ୍କୁ ଆଧାର କରି ମାନ୍ୟବର ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଦଣ୍ଡିତ ଅଭିଯୁକ୍ତମାନେ ହେଲେ ବଙ୍ଗୋମୁଣ୍ଡା ବ୍ଲକ୍ ବେଲପଡ଼ା ସରପଞ୍ଚ ଖରତ ବାଗ, ଡୁମେରମୁଣ୍ଡା ଅଞ୍ଚଳର ସତ୍ୟନାରାୟଣ କାଣ୍ଡ, ଭରତଶ୍ରବା କାଣ୍ଡ ଏବଂ ଟଙ୍କଧର ଜାଲ। ଅପରପକ୍ଷରେ, ଉପଯୁକ୍ତ ପ୍ରମାଣ ଅଭାବରୁ ମାମଲାରେ ସଂପୃକ୍ତ ଜଣେ ମହିଳାଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

