ଜମନକିରା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନରେ ଧୂମଧାମରେ ପାଳିତ ହେଲା ପବିତ୍ର ଗଣେଶ ପୂଜା
ଜମନକିରା : ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଆଜି ଜମନକିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଅନୁଷ୍ଠାନଗୁଡ଼ିକରେ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜାର୍ଚ୍ଚନା ବେଶ୍ ଆଡ଼ମ୍ବର ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ସ୍ଥିତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଅଧ୍ୟାପିକା ଉପମା ନାଏକଙ୍କ ସହଯୋଗରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସେହିପରି ସଣ୍ଡପଥର ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ତତ୍ତ୍ୱାବଧାନ ଏବଂ ସ୍ୱରୂପା ମାଝୀ, ଅଳକା ପଟେଲ, ମମତା ପଣ୍ଡା, ଜଗଡା ପ୍ରଧାନ ଏବଂ ହିମାଦ୍ରୀ କଂଶରାଲି ଙ୍କ ସହଯୋଗରେ ପ୍ରଭୁ ଶ୍ରୀ ଗଣେଶଙ୍କ ଆରାଧନା ବିଧିମୁତାବକ ସମାପନ ହୋଇଥିଲା। ଏହା ସହିତ ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ତୀର୍ଥରାଜ ନାୟକଙ୍କ ତତ୍ତ୍ୱାବଧାନରେ ବେଶ୍ ଧୂମଧାମରେ ପୂଜାର୍ଚ୍ଚନା କରାଯାଇଥିଲା। ଅନ୍ୟପକ୍ଷରେ, ଜମନକିରା ମୁଖ୍ୟ ଛକ ସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସାଜ୍ଞା ସୁଚରିତା ପଣ୍ଡା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ପରିସରରେ ମଧ୍ୟ ଶ୍ରଦ୍ଧା ଓ ଉତ୍ସାହର ସହ ପୂଜା ଅନୁଷ୍ଠିତ ହୋଇଥିଲା। ସେହିପରି ଜମନକିରା ଯୁକ୍ତ ଦୁଇ (+୨) ମହାବିଦ୍ୟାଳୟ ଏବଂ ଯୁକ୍ତ ତିନି (+୩) ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅରୁଣ ପଟେଲ, ଅଧ୍ୟାପକ ପ୍ରଦୀପ ପଣ୍ଡା, ଅଧ୍ୟାପିକା ଅରୁଣା ମିଶ୍ର ଏବଂ ରଞ୍ଜନ ମହାକୁଲ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜା କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ।
ଏହି ପରିପ୍ରେକ୍ଷୀରେ ଜମନକିରା ମୁଖ୍ୟ ବଜାର ସ୍ଥିତ ଦାନୀ ହାର୍ଡୱେର ନିକଟରେ ଥିବା ଏସସିଏସଟି (SCST) କମ୍ପ୍ୟୁଟର ସେଣ୍ଟରରେ ମଧ୍ୟ ବେଶ୍ ଧୂମଧାମ ଓ ଜୋରସୋରରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ (MD) କରଣ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପୂଜାରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସମସ୍ତ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନରେ ପୂଜାମଣ୍ଡପକୁ ରଙ୍ଗବେରଙ୍ଗର ତୋରଣ ଓ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ବୈଦିକ ମନ୍ତ୍ରୋଚ୍ଚାରଣ ପୂର୍ବକ ପୂଜା ସମାପନ ପରେ ଶ୍ରଦ୍ଧାଳୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ସମଗ୍ର ବ୍ଲକରେ ଆଜି ଦିନସାରା ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା।

