Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୫ ଅନାଥ ଶିଶୁଙ୍କୁ ମିଳିଲା ବାସଭୂମି ପଟ୍ଟା, ବସୁନ୍ଧରା ଯୋଜନାରେ ପ୍ରତ୍ୟେକଙ୍କୁ ୪ ଡେସିମିଲ ଜମି

ଜମନକିରା : ଅନାଥ ଶିଶୁମାନଙ୍କ କଲ୍ୟାଣ, ପୁନର୍ବାସ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସଭାଗୃହରେ ‘ସେବା ସଙ୍କଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ୩୫ ଜଣ ଅନାଥ ଶିଶୁଙ୍କୁ ରେକର୍ଡ ଅଫ୍ ରାଇଟ୍ସ (RoR) ପଟ୍ଟା ପ୍ରଦାନ କରାଯାଇଥିଲା। ବସୁନ୍ଧରା ଯୋଜନା ଅଧୀନରେ ମାନେଶ୍ୱର ବ୍ଲକ୍‌ର ପରମାନପୁର ଅଞ୍ଚଳରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ ଡେସିମିଲ ଲେଖାଏଁ ଘରଡିହ ଜମି ଯୋଗାଇ ଦିଆଯାଇଛି।
ଏହି ପଦକ୍ଷେପ ଶିଶୁମାନଙ୍କୁ ଏକ ସୁରକ୍ଷିତ ବାସସ୍ଥାନ ଯୋଗାଇବା ସହିତ ସେମାନଙ୍କ ପୁନର୍ବାସ, ସ୍ଥିରତା ଓ ଭବିଷ୍ୟତ ଜୀବନକୁ ସୁଦୃଢ଼ କରିବାରେ ସହାୟକ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ (DCPU) ଦ୍ୱାରା ପରିଚାଳିତ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଏହି ସୁବିଧା ପାଇଛନ୍ତି। ଏଥିରେ ଧନୁକୌଡ଼ାସ୍ଥିତ ଉତ୍କଳ ବାଳାଶ୍ରମ, ରୁକ୍ମିଣୀ ଲାଠ ବାଳ ନିକେତନ ଓ ଡ. ଆଇଜାକ୍ ସାନ୍ତ୍ରା ବାଳନିକେତନ ସମେତ ଅନ୍ୟାନ୍ୟ ଅନୁଷ୍ଠାନର ଶିଶୁମାନେ ସାମିଲ ଥିଲେ। କାର୍ଯ୍ୟକ୍ରମରେ ଅନୀତା କିଷାନ, ରୁକ୍ମିଣୀ କୁମ୍ଭାର, କଲ୍ୟାଣୀ ସୁନାନୀ, ରୀନା ଧାଙ୍ଗୁଡ଼ି, ମାନୁଲାଲ ଖଡ଼ିଆ, ରାମା ଖଡ଼ିଆ, ସଙ୍ଗୀତା ମୁଣ୍ଡା ଓ ସୁଷମା ସିଂହଙ୍କ ସମେତ ଅନ୍ୟ ହିତାଧିକାରୀଙ୍କୁ ଅତିଥିମାନେ ପଟ୍ଟା ପ୍ରଦାନ କରିଥିଲେ।
ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।
ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ସିଡିଏମ ତଥା ଇଓ ପ୍ରସନ୍ନ ପାତ୍ର, ଏସ୍‌ଏମ୍‌ସି କମିଶନର ରେହମାନ ଖେତ୍ରୀ, ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ , ଡିଏଫ୍‌ଓ ଓ ଡିଆଇଜିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କୁ ସମ୍ମାନଜନକ ଜୀବନ, ସାମାଜିକ ସୁରକ୍ଷା, ପୁନର୍ବାସ ଓ ଆତ୍ମନିର୍ଭର ଭବିଷ୍ୟତ ପ୍ରଦାନ ଦିଗରେ ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନ ଓ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories