Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଶକ୍ତ ଗ୍ରାମ ବିକାଶ କାର୍ଯ୍ୟକ୍ରମ’ ଉପରେ ଏକ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା; ୨୪ ଜଣ ଗ୍ରାମ୍ୟ ଉନ୍ନୟନ କମିଟି ନେତୃବୃନ୍ଦଙ୍କୁ ସୂଚନା ଅଧିକାର ଆଇନ ଉପରେ ପ୍ରଶିକ୍ଷଣ

ଜମନକିରା : ଗ୍ରାମୀଣ ବିକାଶରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନଭାଗୀଦାରିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ସଶକ୍ତ ଗ୍ରାମ ବିକାଶ କାର୍ଯ୍ୟକ୍ରମ’ ଅଧୀନରେ ସୂଚନା ଅଧିକାର ଆଇନ ୨୦୦୫ ଉପରେ ଏକ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି। ଲିନ୍ସି ଫାଉଣ୍ଡେସନର ସହଯୋଗରେ ସମ୍ବଲପୁର ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ସିଡ଼ି ) ପକ୍ଷରୁ ଏହି ତାଲିମ ଶିବିର ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଅଞ୍ଚଳର ୮ଟି ଗ୍ରାମରୁ ୨୪ ଜଣ ଗ୍ରାମ୍ୟ ଉନ୍ନୟନ କମିଟି ନେତୃବୃନ୍ଦ ଯୋଗଦେଇଥିଲେ। ଗ୍ରାମାଞ୍ଚଳର ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ସହ ତୃଣମୂଳ ସ୍ତରର ନେତୃବୃନ୍ଦଙ୍କୁ ସୂଚନା ଅଧିକାରର ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅଧିବେଶନରେ ମୁଖ୍ୟ ତାଲିମଦାତା ଭାବେ ଡା. ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ସୂଚନା ଅଧିକାର ଆଇନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଓ ବ୍ୟବହାରିକ ତାଲିମ ପ୍ରଦାନ କରିଥିଲେ। ପ୍ରତ୍ୟକ୍ଷ ଆଲୋଚନା, ଉଦାହରଣ ଓ ପ୍ରାୟୋଗିକ ଅଭ୍ୟାସ ମାଧ୍ୟମରେ ସୂଚନା ଅଧିକାର ଆଇନ ଆବେଦନ କିପରି ପ୍ରସ୍ତୁତ ଓ ଦାଖଲ କରାଯିବ, ଆବେଦନ ଶୁଳ୍କ, ଜନସୂଚନା ଅଧିକାରୀ (ପିଆଇଓ)ଙ୍କ ଭୂମିକା ଓ ଦାୟିତ୍ୱ, ସୂଚନା ପ୍ରଦାନର ନିର୍ଦ୍ଧାରିତ ସମୟସୀମା ଏବଂ ପ୍ରଥମ ଓ ଦ୍ୱିତୀୟ ଅପିଲ୍ ପ୍ରକ୍ରିୟା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଡା. ଷଡ଼ଙ୍ଗୀ କହିଥିଲେ ଯେ, ସୂଚନା ଅଧିକାର କେବଳ ତଥ୍ୟ ପାଇବାର ଏକ ଆଇନଗତ ମାଧ୍ୟମ ନୁହେଁ, ବରଂ ଏହା ତୃଣମୂଳ ସ୍ତରରେ ସ୍ୱଚ୍ଛତା, ଜନଉତ୍ତରଦାୟିତ୍ୱ ଓ ସାମାଜିକ ନିରୀକ୍ଷଣକୁ ସୁଦୃଢ଼ କରିବାର ଏକ ପ୍ରଭାବଶାଳୀ ଉପକରଣ। ସରକାରୀ ପାଣ୍ଠିର ସଦୁପଯୋଗ ତଦାରଖ, ବିଭିନ୍ନ ଗ୍ରାମୀଣ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ନଜର ଏବଂ ସ୍ଥାନୀୟ ପ୍ରଶାସନିକ ସଂସ୍ଥାଗୁଡ଼ିକର ଉତ୍ତରଦାୟିତ୍ୱ ନିଶ୍ଚିତ କରିବାରେ ସୂଚନା ଅଧିକାରର ଗୁରୁତ୍ୱ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ଭିଡିସି ନେତୃବୃନ୍ଦଙ୍କୁ ନିଜ ନିଜ ଗ୍ରାମର ସମସ୍ୟା ସହ ସମ୍ପୃକ୍ତ ସୂଚନା କିପରି ଆଇନସମ୍ମତ ଭାବେ ମାଗିହେବ ଏବଂ ମିଳୁଥିବା ସରକାରୀ ତଥ୍ୟକୁ ଗ୍ରାମର ସାମୂହିକ ବିକାଶରେ କିପରି ବ୍ୟବହାର କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ଦିଗ୍‌ଦର୍ଶନ ଦିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସିଡ଼ି –ଏଭିଡିପି ପ୍ରକଳ୍ପର ସବଜେକ୍ଟ ମ୍ୟାଟର ସ୍ପେଶାଲିଷ୍ଟ ଦୀପକ କୁମାର ନାୟକ ସଂଯୋଜନା କରିଥିଲେ। ଆୟୋଜକମାନଙ୍କ ମତରେ, ଏହି ତାଲିମ ମାଧ୍ୟମରେ ପ୍ରସ୍ତୁତ ଗ୍ରାମ୍ୟ ନେତୃବୃନ୍ଦ ନିଜ ନିଜ ଅଞ୍ଚଳରେ ସୂଚନା ସହାୟକ ଭାବେ କାର୍ଯ୍ୟ କରିବା ସହ ଗ୍ରାମବାସୀଙ୍କୁ ସରକାରୀ ତଥ୍ୟ ଓ ଅଧିକାର ସମ୍ପର୍କରେ ସଚେତନ କରିବେ। ଏହା ଫଳରେ ଗ୍ରାମୀଣ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ଅଂଶଗ୍ରହଣ ଓ ସାମାଜିକ ଉତ୍ତରଦାୟିତ୍ୱ ଅଧିକ ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories