ଟ୍ରକରେ ଗଞ୍ଜେଇ ଲୋଡ଼ିଂ ବେଳେ ମାଡ଼ିବସିଲା ପୁଲିସ : ୨୬୫ କି.ଗ୍ରା ଗଞ୍ଜେଇ ସହିତ ଟ୍ରକ ଓ ୨ଟି ବାଇକ ଜବତ : ୪ କୋର୍ଟଚାଲାଣ
କଳାହାଣ୍ଡି,୨୮/୦୯-ଜଙ୍ଗଲ ଭିତରେ ଏକ ଟ୍ରକରେ ଲୋଡ଼ିଂ ହେଉଥିଲା ଗଞ୍ଜେଇ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁଲିସ। ଆଉ ଘଟଣାସ୍ଥଳରୁ ୨୬୫ କି.ଗ୍ରା ଗଞ୍ଜେଇ ସହିତ ଏକ ଟ୍ରକ ଓ ଦୁଇଗୋଟି ବାଇକ ଜବତ ହୋଇଛି। ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଉର୍ଲାଦାନୀ ପଞ୍ଚାୟତ କୁରୁପଦର ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ିଂ ହେଉଥିବା ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ମଦନପୁର ରାମପୁର ପୁଲିସ। ଚଢ଼ାଉ ସମୟରେ ଗଞ୍ଜେଇ ଲୋଡ଼ କରାଯାଉଥିବା NL-01-AB-9430 ନମ୍ବର ବିଶିଷ୍ଟ ଟ୍ରକ ଓ ଦୁଇଟି ବାଇକକୁ ଜବତ କରିଥିଲା। ସେହିପରି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ହରିୟାଣାର ରାଜେଶ, ବିଡ଼ାବାରୁ ଗାଁର ବସନ୍ତ ନାଏକ, କନ୍ଧମାଳ ଜିଲ୍ଲା ସୁଦ୍ରା ଗାଁର ସାଉଲ ଦିଗାଲ ଓ ଅଜିତ ମଲ୍ଲିକଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି।

