Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Soumya Ranjan Death Case: ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ, ଆଗୁଆ ଜାମିନ ଉପରେ ହାଇକୋର୍ଟରେ ଶୁଣାଣି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଆସିଛି ନୂଆ ମୋଡ଼। ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପଟେ, ତାଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଛି। ତେବେ ବିଦ୍ୟାଭାରତୀଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ କୋର୍ଟ ମନା କରିବା ସହ ତଦନ୍ତ ସମ୍ପର୍କିତ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛୁଟି ପରେ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

୨୦୨୧ ଜୁଲାଇ ୧୨ ତାରିଖରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିର ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ ବାସଭବନରେ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ତାଙ୍କ ବାପା ଅଭିରାମ ମହାପାତ୍ର ବୋହୂ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଚାର୍ଜସିଟ୍‌ ଦାଖଲ କରିଥିଲା। ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଅଭିରାମ ମହାପାତ୍ର ଦାଖଲ କରିଥିବା ପ୍ରୋଟେଷ୍ଟ ପିଟିସନ୍‌ର ଶୁଣାଣି କରି ୨୦୨୩ ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ ତିନି ଜଣଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଓ ୧୨୦-ବି ଅନୁସାରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ।

ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ୨୦୨୫ ଅକ୍ଟୋବର ୨୩ରେ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଏବେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ ଓ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟଙ୍କ ଶୁଣାଣି ପରେ ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories