Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Traders Loss: INDIA ବ୍ଲକ୍‌ର ରାଲି ଯୋଗୁଁ ୧୧ ହଜାର କୋଟିର ବ୍ୟବସାୟ କ୍ଷତି! ଗୁରୁତର ଅଭିଯୋଗ ଆଣିଲା ବ୍ୟବସାୟୀ ସଂଘ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ରବିବାର ଆୟୋଜିତ INDIA ବ୍ଲକ୍‌ର ରାଲିକୁ ନେଇ ବ୍ୟବସାୟୀଙ୍କ କ୍ଷତି ପ୍ରସଙ୍ଗ ସାମ୍ନାକୁ ଆସିଛି। ରାଲି ଯୋଗୁଁ ରାଜଧାନୀରେ ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇଥିବା ଦାବି କରିଛି ଚାମ୍ବର ଅଫ୍‌ ଟ୍ରେଡ୍‌ ଆଣ୍ଡ ଇଣ୍ଡଷ୍ଟ୍ରି (CTI)। ପାର୍ବଣ ଓ ସପିଂ ସିଜିନ୍‌ ମଧ୍ୟରେ ରାଲି ହୋଇଥିବାରୁ ରାମଲୀଳା ମୈଦାନ ଆଖପାଖର ଅନେକ ପ୍ରମୁଖ ବଜାର ବନ୍ଦ ରହିଥିଲା। CTI ଅଧ୍ୟକ୍ଷ ବ୍ରିଜେଶ ଗୋୟଲଙ୍କ ଅନୁସାରେ, ନଭେମ୍ବର ୧ରେ ଦିଲ୍ଲୀରେ ପ୍ରାୟ ୧୧ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ବ୍ୟବସାୟ କ୍ଷତି ହୋଇଛି। ରାଲି ପୂର୍ବରୁ ଏହାକୁ ଦୀପାବଳି ପରେ କରିବାକୁ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନଙ୍କୁ ଚିଠି ଲେଖି ଅନୁରୋଧ କରିଥିଲା ବ୍ୟବସାୟୀ ସଂଘ।

CTIର ଆକଳନ ଅନୁସାରେ, ଖୁଚୁରା ଓ ହୋଲସେଲ୍‌ ବ୍ୟବସାୟରେ ୮,୮୦୦ କୋଟି ଟଙ୍କାର କ୍ଷତି ହୋଇଛି। ରାମଲୀଳା ମୈଦାନର ୫ କିଲୋମିଟର ପରିଧି ମଧ୍ୟରେ କାଶ୍ମୀରୀ ଗେଟ୍‌, ଚାନ୍ଦନୀ ଚୌକ୍‌, ସଦର ବଜାର, ଚାୱଡ଼ି ବଜାର, କରୋଲ ବାଗ୍‌ ଓ କନଟ୍‌ ପ୍ଲେସ୍‌ ସମେତ ଅନେକ ବଜାର ବନ୍ଦ ରହିଥିବା ସଂଘ କହିଛି। ଏହି ଅଞ୍ଚଳର ପ୍ରାୟ ୩ ଲକ୍ଷ ଦୋକାନ ମଧ୍ୟରୁ ୨.୫ ଲକ୍ଷ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ଥିଲା ଏବଂ ୮୦ ପ୍ରତିଶତ ବ୍ୟବସାୟିକ କାରବାର ଠପ୍‌ ହୋଇଯାଇଥିବା ଦାବି କରାଯାଇଛି। ପରିବହନ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ୧,୫୦୦ କୋଟି, ହୋଟେଲ୍‌, ରେସ୍ତୋରାଁ ଓ ପର୍ଯ୍ୟଟନ କ୍ଷେତ୍ରରେ ୫୦୦ କୋଟି ଏବଂ ଅସଂଗଠିତ କ୍ଷେତ୍ରରେ ପ୍ରାୟ ୨୦୦ କୋଟି ଟଙ୍କାର କ୍ଷତି ହୋଇଥିବା CTI ଆକଳନ କରିଛି। ଏହା ସହିତ ୨ ହଜାରରୁ ଅଧିକ ହୋଟେଲ୍‌, ରେସ୍ତୋରାଁ ଓ ଗେଷ୍ଟ ହାଉସ୍‌ର ବୁକିଂ ବାତିଲ୍‌ ହୋଇଥିବା ଏବଂ ପ୍ରାୟ ୨୦ ଲକ୍ଷ ଶ୍ରମିକ, ଗାଡ଼ି ଚାଳକ ଓ ରାସ୍ତାକଡ଼ ବ୍ୟବସାୟୀ ଦିନକର ରୋଜଗାର ହରାଇଥିବା ଦାବି କରାଯାଇଛି।

ଅନ୍ୟପଟେ, ଦିଲ୍ଲୀରେ ଦୋକାନ ବନ୍ଦ ରହିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାଲିରେ ଯୋଗ ଦେବାକୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ସାମଗ୍ରୀ କିଣିବାକୁ ସେ ଅନୁରୋଧ କରିଥିବା କହିଛନ୍ତି। କିନ୍ତୁ କନଟ୍‌ ପ୍ଲେସ୍‌ ଯିବା ସମୟରେ ଦୋକାନଗୁଡ଼ିକ ବନ୍ଦ ଥିବା ଦେଖିଥିବା ଏବଂ ବିଜେପି ଜୋରଜବରଦସ୍ତି ଦୋକାନ ବନ୍ଦ କରାଇଥିବା ରାହୁଲ ଅଭିଯୋଗ କରିଛନ୍ତି। ତେବେ ୧୧ ହଜାର କୋଟି ଟଙ୍କାର କ୍ଷତି ସମ୍ପର୍କିତ ଆକଳନ CTI ପକ୍ଷରୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories