Nepal Snowfall Rescue: ନେପାଳରେ ପ୍ରବଳ ତୁଷାରପାତରେ ଫସିଥିବା ୬ ଭାରତୀୟ ପର୍ଯ୍ୟଟକ ଉଦ୍ଧାର
ନୂଆଦିଲ୍ଲୀ: ନେପାଳର ଡୋଲ୍ପା ଜିଲ୍ଲାରେ ପ୍ରବଳ ତୁଷାରପାତ ଯୋଗୁଁ ଫସି ରହିଥିବା ୬ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ନଭେମ୍ବର ୧ ତାରିଖରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା। ନୁମ୍ଲା ଓ ୱାଗ୍ଲା ପାସ୍ ନିକଟରେ ପ୍ରବଳ ବରଫପାତ ଯୋଗୁଁ ସେମାନେ ଫସି ଯାଇଥିଲେ।
ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମେ ନେପାଳ ସେନାର ଏକ ହେଲିକପ୍ଟର ପଠାଯାଇଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ଉଦ୍ଧାର ଅଭିଯାନକୁ ମଝିରୁ ବନ୍ଦ କରିବାକୁ ପଡ଼ିଥିଲା। ପରେ ସୋମବାର ଏକ ଘରୋଇ ହେଲିକପ୍ଟର ସହାୟତାରେ ସମସ୍ତ ୬ ଜଣଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ସମସ୍ତ ପର୍ଯ୍ୟଟକଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୋଲିସର ସୂଚନା ଅନୁସାରେ, ସମସ୍ତେ ବିପଦମୁକ୍ତ ଅଛନ୍ତି। ଦୀର୍ଘ ସମୟ ଧରି ଯୋଗାଯୋଗରୁ ବାହାରେ ରହିବା ପରେ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଖବର ମିଳିଛି।

