US Midterm Election: ଟ୍ରମ୍ପଙ୍କ ରାଜନୀତିରେ ଇରାନ ଯୁଦ୍ଧର ବଡ ପ୍ରଭାବ! ଉଭୟ ସଦନରେ ଡେମୋକ୍ରାଟ୍ଙ୍କ ବିଜୟ
ନୂଆଦିଲ୍ଲୀ: ଇରାନରେ ସତ୍ତା ପରିବର୍ତ୍ତନକୁ ନେଇ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଆମେରିକାର ରାଜନୀତିକୁ ନୂଆ ମୋଡ଼ ଦେଇଛି। ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଥିବା ବେଳେ ଡେମୋକ୍ରାଟିକ୍ ପାର୍ଟି ଆମେରିକା ସଂସଦର ଉଭୟ ସଦନ—ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଓ ସିନେଟ୍ରେ ବହୁମତ ହାସଲ କରିଛି। CNN ରିପୋର୍ଟ ଅନୁସାରେ, ଏହି ନିର୍ବାଚନୀ ଫଳାଫଳ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଡ଼ ରାଜନୈତିକ ପରାଜୟ। ଏହା ପରେ ଆସନ୍ତା ଦୁଇ ବର୍ଷ ଧରି ଡେମୋକ୍ରାଟ୍ମାନେ ଟ୍ରମ୍ପ ସରକାରଙ୍କ ନୀତି ଓ ନିଷ୍ପତ୍ତି ଉପରେ ଅଧିକ ନଜର ରଖିପାରିବେ।
ନିର୍ବାଚନରେ ଡେମୋକ୍ରାଟ୍ମାନେ ପାରମ୍ପରିକ ରିପବ୍ଲିକାନ୍ ଗଡ଼ରେ ମଧ୍ୟ ସଫଳତା ପାଇଛନ୍ତି। ସାଉଥ୍ କାରୋଲିନାରେ ସିନେଟ୍ ଆସନ ଜିତିବା ସହ ଟେକ୍ସାସ୍ରେ ମଧ୍ୟ ଦଳ ବିଜୟ ହାସଲ କରିଛି। ୧୯୯୪ ପରଠାରୁ ଟେକ୍ସାସ୍ରେ ରାଜ୍ୟସ୍ତରୀୟ ନିର୍ବାଚନରେ ଡେମୋକ୍ରାଟ୍ଙ୍କ ଏହା ପ୍ରଥମ ବିଜୟ ବୋଲି ଉଲ୍ଲେଖ କରାଯାଇଛି। କାନ୍ସାସ୍ରେ ମଧ୍ୟ ଦଳର ପ୍ରାର୍ଥୀ ସିନେଟ୍ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ରାଜ୍ୟରୁ ୧୯୩୨ ପରଠାରୁ କୌଣସି ଡେମୋକ୍ରାଟ୍ ସିନେଟର ନିର୍ବାଚିତ ହୋଇନଥିବା ଦାବି କରାଯାଇଛି।
ଟ୍ରମ୍ପଙ୍କ ନିର୍ବାଚନୀ ପରାଜୟ ପଛରେ ଅର୍ଥନୈତିକ ଓ ରାଜନୈତିକ ପ୍ରସଙ୍ଗଗୁଡ଼ିକ ମୁଖ୍ୟ ଭୂମିକା ନେଇଥିବା ଆକଳନ କରାଯାଉଛି। ଦରଦାମ୍ ବୃଦ୍ଧି, ଶୁଳ୍କ ନୀତି, ଇରାନ ଯୁଦ୍ଧ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟଶୈଳୀକୁ ନେଇ ଭୋଟରଙ୍କ ଅସନ୍ତୋଷ ଏହାର କାରଣ ହୋଇପାରେ। ଏହା ସହ ଟ୍ରମ୍ପଙ୍କ ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧିକୁ ନେଇ ଉଠିଥିବା ପ୍ରଶ୍ନ ମଧ୍ୟ ନିର୍ବାଚନୀ ପରିଣାମକୁ ପ୍ରଭାବିତ କରିଥିବା କୁହାଯାଉଛି।

