ଅନ୍ତର୍ଲା ଗ୍ରାମରୁ ୫ ଜଣ ବେଆଇନ ଦାଦନ ଶ୍ରମିକ ଉଦ୍ଧାର; ଦଲାଲ ଗିରଫ ଓ କୋର୍ଟଚାଲାଣ ।
ବଲାଙ୍ଗୀର,୪।୧୧: ବଲାଙ୍ଗୀର ଜିଲ୍ଲାରେ ଦାଦନ ଚାଲାଣ ରାକେଟ୍ ବିରୋଧରେ ପ୍ରଶାସନ ଓ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ, ଗତକାଲି ରାତିରେ ମୁରିବାହାଲ ଥାନା ଅଞ୍ଚଳରୁ ଏକ ବଡ଼ଧରଣର ଦାଦନ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି। ଏହି ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମରୁ ପାଞ୍ଚଜଣ ବେଆଇନ ଦାଦନ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ଦଲାଲକୁ ମୁରିବାହାଲ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଅନ୍ତର୍ଲା ଗ୍ରାମର ବିଜୟ ନାଗଙ୍କ ପୁଅ ବାଲ୍ମିକୀ ନାଗ (୨୬ ବର୍ଷ) ବୋଲି ଜଣାପଡ଼ିଛି।
ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ବାଲ୍ମିକୀ ନାଗ ବିଭିନ୍ନ ଥାନା ଅଞ୍ଚଳ ଯଥା ପାଟଣାଗଡ଼, ଲରମ୍ଭା ଥାନା ଏବଂ ଦେଓଗାଁ ଥାନା ଆଦିରୁ ମୋଟ ପାଞ୍ଚଜଣ ବ୍ୟକ୍ତି (୨ ଜଣ ପୁରୁଷ ଓ ୩ ଜଣ ମହିଳା)ଙ୍କୁ ଆଣି ନିଜ ଗ୍ରାମରେ ଲୁଚାଇ ରଖିଥିଲା।
ସେହି ଶ୍ରମିକ ମାନଙ୍କୁ ପ୍ରତ୍ୟେକ ପିଛା ୫୦,୦୦୦/- ଟଙ୍କା ଅଗ୍ରିମ (Advance) ଦେବା ଏବଂ ରାଜ୍ୟ ଭିତରେ କାମକୁ ପଠାଇବା ନେଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଗତ ତିନି ଦିନ ହେବ ସେମାନଙ୍କୁ ଗୋପନରେ ଅଟକ ରଖିଥିଲା।
ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ, ଅଭିଯୁକ୍ତ ଅଧିକ ମୋଟା ଅଙ୍କର ଟଙ୍କା ଲୋଭରେ ଜଣେ ସ୍ଥାନୀୟ ଦାଦନ ସର୍ଦ୍ଦାର ସହ ଆଲୋଚନା ଚଳାଇଥିଲା ଏବଂ ଉକ୍ତ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବାରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।
ଘଟଣାରେ ବାବଦରେ ବିଶେଷ ସୂତ୍ରରୁ ଖବର ପାଇ ମୁରିବାହାଲ ପୋଲିସ ତତ୍ପରତା ପ୍ରକାଶ କରି ଗତକାଲି ରାତିରେ ଚଢ଼ାଉ କରି ଉକ୍ତ ପାଞ୍ଚଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏଥି ସହିତ ଦଲାଲ ବାଲ୍ମିକୀ ନାଗକୁ କାବୁ କରିଥିବା ବେଳେ ଆଜି ତାକୁ ଆଇନଗତ ପ୍ରକ୍ରିୟା ଅଧୀନରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ପ୍ରକାଶ ଥାଉ କି, ଗରିବ ଓ ଅସହାୟ ଲୋକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଦାଦନ ଖଟିକୁ ଚାଲାଣ କରୁଥିବା ଏଭଳି ଅସାଧୁ ଚକ୍ର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

