ଘର ନିର୍ମାଣ ବେଳେ ଛାତରୁ ପଡ଼ି ରାଜମିସ୍ତ୍ରୀ ମୃତ
ଘର ନିର୍ମାଣ ବେଳେ ଛାତରୁ ପଡ଼ି ରାଜମିସ୍ତ୍ରୀ ମୃତ
ଝାରସୁଗୁଡ଼ା ୪/୧୧ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲି ପଡ଼ାରେ ଘର ନିର୍ମାଣ କାମ ଚାଲିଥିବା ବେଳେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ ଘରର ଛାତରୁ ଖସିପଡ଼ି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ରାଜମିସ୍ତ୍ରୀ ଜଣକ ଝାଡ଼ଖଣ୍ଡ ରାଜ୍ୟର ସାହେବଗଞ୍ଜ ଅଞ୍ଚଳର ମୁତଲିବ ଶେଖ୍ ବୋଲି ପୁଲିସ ସୂତ୍ରରୁ ଜଣା ପଡ଼ିଛି।
ସୂଚନା ଅନୁଯାୟୀ, କାର୍ଲାବାହାଲି ପଡ଼ାରେ ଏକ ଘର ନିର୍ମାଣ କାମରେ ମୁତଲିବ ନିୟୋଜିତ ଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସି ଯିବାରୁ ସେ ଛାତ ଉପରୁ ତଳକୁ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ୍ ଡାକ୍ତରଖାନାରେ ପହଞ୍ଚି ପଞ୍ଚନାମା କରି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଛି। ଏନେଇ ରେଙ୍ଗାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

