ବଲାଙ୍ଗୀର: ସୋଲାର ଲଗାଇବା ବାହାନାରେ ଡକାୟତି ମାମଲାର ପର୍ଦ୍ଦାଫାଶ: ୪୮ ଘଣ୍ଟାରେ ୪ ଗିରଫ, ପ୍ରଚୁର ସୁନା-ରୂପା ଗହଣା ଜବତ ।
ବଲାଙ୍ଗୀର,୬।୧୧: ସୋଲାର ଲଗାଇବା ବାହାନାରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସୀତାରାମ ନଗର (ପଥରଚେପା) ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଡକାୟତି ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ବଲାଙ୍ଗୀର ସଦର ଥାନା ପୋଲିସ ଚଢ଼ଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ସାମଗ୍ରୀର ପ୍ରାୟ ୮୦ ପ୍ରତିଶତ ଉଦ୍ଧାର କରିବାରେ ସଫଳ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ସୀତାରାମ ନଗରର ପୁଷ୍ପାଞ୍ଜଳି ମିଶ୍ରଙ୍କ ଘରେ ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ କେତେକ ଦୁର୍ବୃତ୍ତ ପ୍ରବେଶ କରିଥିଲେ। ସେମାନେ ଘରର ମହିଳାଙ୍କୁ ବାଥରୁମରେ ବନ୍ଦ କରିଦେଇ ପ୍ରାୟ ୧୩ ଭରି ସୁନା, ୧୨ ଭରି ରୂପା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ।
ଏହି ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ଶକ୍ତିମାନ ମାଝୀ, ପ୍ରକାଶ ମାଝୀ, ଚିତ୍ତରଞ୍ଜନ ଧରୁଆ ଏବଂ ଅଭି କୁମ୍ଭାର। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଚିତ୍ତରଞ୍ଜନ ଧରୁଆ ଉକ୍ତ ଘରେ ଭଡ଼ାରେ ରହୁଥିଲେ ଏବଂ ସେ ସମ୍ପୂର୍ଣ୍ଣ ଲୁଟ୍ ଘଟଣାର ଯୋଜନା ଓ ସୂଚନା ଯୋଗାଇ ଦେଇଥିଲେ।
ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ସୁନା କଏନ୍, ସୁନା ମୁଦି, ଇୟର ରିଙ୍ଗ୍, ରୂପା ଚେନ୍, ଗୋଡ଼ ଆଙ୍କଲେଟ୍, ୨ଟି ମୋଟରସାଇକେଲ୍ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ଏବଂ ଅବଶିଷ୍ଟ ୧୦୦% ଲୁଟ୍ ସାମଗ୍ରୀ ଶୀଘ୍ର ଉଦ୍ଧାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

