Bhubaneswar-Delhi Bus Accident: ମୟୂରଭଞ୍ଜରେ ଓଲଟିଲା ଦିଲ୍ଲୀ ଯାଉଥିବା ବସ୍, ୨ ଗୁରୁତରଙ୍କ ସମେତ ୧୦ ଆହତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟ ବମ୍ବେ ଛକରେ ବୁଧବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ‘ଶ୍ୟାମଳୀ’ ନାମକ ଏହି ଘରୋଇ ବସ୍ଟି ଜାତୀୟ ରାଜପଥ-୧୮ରେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ବସ୍ରେ ପ୍ରାୟ ୪୨ରୁ ୫୦ ଜଣ ଯାତ୍ରୀ ରହିଥିବା ସୂଚନାରୁ ଜଣାପଡିଛି ।
ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଅତିକମ୍ରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଝାରପୋଖରିଆ ପୁଲିସ ଏବଂ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗର ଟିମ୍ ଉଦ୍ଧାର କରିଥିଲେ। ଗୁରୁତର ଯାତ୍ରୀଙ୍କୁ ନିକଟସ୍ଥ ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଉଦ୍ଧାର କାର୍ଯ୍ୟ ପରେ ଯାତ୍ରୀମାନଙ୍କୁ ବସ୍ରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ପରେ କ୍ରେନ୍ ସହାୟତାରେ ଓଲଟି ପଡ଼ିଥିବା ବସ୍କୁ ରାସ୍ତାରୁ ହଟାଯାଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଏ ପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଝାରପୋଖରିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ବସତି କେଉଁ କାରଣରୁ ଓଲଟି ପଡିଲା ସ୍ପଷ୍ଟ ଭାବେ ଜଣାପଡିବ |

