Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ: ୨୮ ଲକ୍ଷ ହିତାଧିକାରୀଙ୍କ ପାଇଁ ସ୍ଥାୟୀ ପ୍ରତୀକ୍ଷା ତାଲିକା ପ୍ରସ୍ତୁତ, ଓଡ଼ିଶାକୁ ମିଳିଲା ୫ ଲକ୍ଷ ପକ୍କା ଘର ।

ବଲାଙ୍ଗୀର,୧୪।୧୧: ଆଜି ପବିତ୍ର ମା’ ପାଟଣେଶ୍ୱରୀଙ୍କ ପୀଠ ତଥା ବଲାଙ୍ଗୀରର ପଥରଚେପାରେ ଏକ ଭବ୍ୟ ଏବଂ ରାଜ୍ୟସ୍ତରୀୟ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତଙ୍କ ମୁଣ୍ଡ ଉପରେ ଏକ ପକ୍କା ଛାତ ଘର ରହିବା ସ୍ୱପ୍ନକୁ ସାକାର କରିବା ଦିଗରେ ଡବଲ ଇଞ୍ଜିନ ସରକାର ଆଜି ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପାଦ ଆଗକୁ ବଢ଼ାଇଛନ୍ତି। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ପରିକଳ୍ପନାକୁ ଆଗକୁ ବଢ଼ାଇବାରେ ତାଙ୍କର ଅବଦାନକୁ ପ୍ରଶଂସା କରାଯାଇ ଓଡ଼ିଶା ମାଟିକୁ ଭବ୍ୟସ୍ୱାଗତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ମୋବାଇଲ ଆପ୍ ମାଧ୍ୟମରେ ‘ଆବାସ ପ୍ଲସ ୨୦୨୪’ ସର୍ଭେ ସମ୍ପୂର୍ଣ୍ଣ କରାଯାଇଛି।
ଓଡ଼ିଶାରେ ମୋଟ ୨୮ ଲକ୍ଷ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଏକ ସ୍ଥାୟୀ ପ୍ରତୀକ୍ଷା ତାଲିକା (Permanent Waiting List) ପ୍ରସ୍ତୁତ କରାଯାଇଛି। ଡବଲ ଇଞ୍ଜିନ ସରକାରଙ୍କ ଜରିଆରେ ପ୍ରକୃତ ଯୋଗ୍ୟ ହିତାଧିକାରୀମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାକୁ ୪ ଲକ୍ଷରୁ ଅଧିକ ଘର ମିଳିଥିଲା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ଙ୍କ ସହିତ ଟେଲିଫୋନରେ ଆଲୋଚନା କରାଯିବା ପରେ ଅତିରିକ୍ତ ୧ ଲକ୍ଷ ଘର ଯୋଗ କରାଯାଇ ମୋଟ ୫ ଲକ୍ଷ ଘର ପ୍ରାପ୍ତ ହୋଇଛି। ଆଗାମୀ ଦିନରେ ଆହୁରି ଅଧିକ ୧ ଲକ୍ଷ ଘର ପାଇଁ ଦିଲ୍ଲୀ ଗସ୍ତ କରାଯାଇ କେନ୍ଦ୍ରୀୟ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଭାଷଣରେ କହିଥିଲେ ।
କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ଙ୍କ ‘ଲାଡ୍‌ଲୀ ବହନା ଯୋଜନା’ ଏବଂ ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ସାମାଜିକ ବିକାଶର ଦିଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କୃଷି ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗ, ସାଂସଦ ସଙ୍ଗୀତା ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରୂପା ମିଶ୍ର, ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୁୱାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories