ପାରିବାରିକ ସମ୍ପର୍କରେ ରକ୍ତର ଛିଟା: ବଲାଙ୍ଗୀରରେ ଖଟ କାଠରେ ପିଟିପିଟି ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ ।
ବଲାଙ୍ଗୀର,୧୪।୧୧: ରକ୍ତର ସମ୍ପର୍କରେ ଲାଗିଲା କଳଙ୍କର ଦାଗ। ନିଜ ଜନ୍ମକଲା ଭାଇର ଜୀବନ ନେଲା ସାନ ଭାଇ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ବାଲିପଟା ଗାଁରେ ଏପରି ଏକ ଅଭାବନୀୟ ଏବଂ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି। ଖଟ କାଠରେ ପିଟିପିଟି ବଡ଼ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚାଞ୍ଚଲ୍ୟ ଓ ଆତଙ୍କ ଖେଳିଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମୃତକ ଜଣକ ହେଉଛନ୍ତି ଭ୍ରମରାଜ ମାଝୀ ଏବଂ ଅଭିଯୁକ୍ତ ସାନ ଭାଇ ହେଉଛନ୍ତି ପ୍ରେମାନନ୍ଦ ମାଝୀ।
ପରିବାର ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଅଭିଯୁକ୍ତ ପ୍ରେମାନନ୍ଦ ଏକ ଚୋରି ମାମଲାରେ ଜେଲ୍ ଯାଇଥିଲେ ଏବଂ ନିକଟରେ ବ୍ୟକ୍ତିଗତ ମୁଚାଲିକାରେ ଖଲାସ ହୋଇ ଘରକୁ ଫେରିଥିଲେ। ଘରେ ବାପା-ମାଆ କ୍ଷେତରେ ରହୁଥିବା ବେଳେ ଏହି ଦୁଇ ଭାଇ ଏକାଠି ରହୁଥିଲେ। ଗତକାଲି ରାତିରେ ଉଭୟେ ଗୋଟିଏ ଘରେ ଶୋଇଥିବା ସମୟେ କୌଣସି କାରଣରୁ ପରସ୍ପର ମଧ୍ୟରେ ତିକ୍ତତା କିମ୍ବା ବାଦବିବାଦ ଉପୁଜିଥିଲା।
ଉକ୍ତ ବିବାଦର କ୍ରୋଧରେ ସାନ ଭାଇ ପ୍ରେମାନନ୍ଦ ଏକ ଖଟ କାଠ ଆଣି ବଡ଼ଭାଇ ଭ୍ରମରାଜଙ୍କୁ ମୁଣ୍ଡ ଓ ଶରୀରରେ ନିର୍ମମ ଭାବେ ପିଟିଥିଲେ, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କେବଳ ସେତିକି ନୁହେଁ, ଅଭିଯୁକ୍ତ ଜଣକ ଉତ୍ତକ୍ଷିତ ଅବସ୍ଥାରେ ଗାଁ ଦାଣ୍ଡରେ ଏକ ଧାରୁଆ ଅସ୍ତ୍ର ଧରି ବୁଲିବା ସହ ଅନ୍ୟ ଦୁଇଜଣ ସମ୍ପର୍କୀୟଙ୍କୁ ମଧ୍ୟ ଆକ୍ରମଣ କରି ମାଡ଼ ମିଳିଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇ ପାଟଣାଗଡ଼ ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତକୁ କାବୁ କରିବା ସହ ଥାନାରେ ଅଟକ ରଖି ଏହି ଜଘନ୍ୟ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ପୃଷ୍ଠଭୂମି ଅନୁସନ୍ଧାନ ପାଇଁ ତଦନ୍ତ ଜାରି ରଖିଛି।

