ଶିରିଡ଼ ଓ ଭାତପୁରା ହାଇସ୍କୁଲରେ ନୃସିଂହ ଚରଣ ଗୁରୁଙ୍କ ଜୟନ୍ତୀ ପାଳିତ;ଛାତ୍ରଛାତ୍ରୀ ବଡ଼ଲୋକ ହେବା ଅପେକ୍ଷା ଭଲ ଲୋକ ହେବାକୁ ଉଦ୍ୟମ କରନ୍ତୁ… ମୁଖ୍ୟଅତିଥି
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ୍ ଅନ୍ତର୍ଗତ ଦୁଇ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିରିଡ଼ ସରକାରୀ ହାଇସ୍କୁଲ ଓ ଭାତପୁରା ହାଇସ୍କୁଲରେ ଗୁରୁବାର ପୂର୍ବାହ୍ନ ଏବଂ ଅପରାହ୍ନରେ ‘ପଶ୍ଚିମ ଓଡ଼ିଶାର ଗାନ୍ଧୀ’ ଭାବରେ ସୁପରିଚିତ ସ୍ୱାଧୀନତା ସଂଗ୍ରାମୀ ନୃସିଂହ ଗୁରୁଙ୍କ ୧୨୫ତମ ଜୟନ୍ତୀ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି। ଉଭୟ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୃସିଂହ ଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନ, ଉତ୍ସର୍ଗୀକୃତ ସାମ୍ବାଦିକତା ଏବଂ ସମାଜ ସଂସ୍କାରମୂଳକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ସେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, କେବଳ ବଡ଼ଲୋକ ହେବା ପଛରେ ନ ଗୋଡ଼ାଇ ପ୍ରଥମେ ଜଣେ ଭଲ ଓ ଆଦର୍ଶବାନ ମଣିଷ ହେବାକୁ ଉଦ୍ୟମ କରିବା ଉଚିତ। ସେହିପରି କୁଚିଣ୍ଡା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ କରୁଣାକର କିଷାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୃସିଂହ ଗୁରୁଙ୍କ ସଂଘର୍ଷମୟ ଜୀବନୀ ଓ ଆଦର୍ଶ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ନୃସିଂହ ଗୁରୁଙ୍କ ଜୀବନୀ ଆଧାରିତ ଏକ ପୁସ୍ତକ ଲୋକାର୍ପିତ ହୋଇଥିଲା। ଶିରିଡ଼ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ଏବଂ ଭାତପୁରା ହାଇସ୍କୁଲରେ ରତନ ଲାଲ ସିଂ ସଭାପତିତ୍ୱ କରିଥିବା ବେଳେ ପ୍ରାରମ୍ଭରେ ଛାତ୍ରୀମାନେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ଦ୍ୱୟକୁ ଗେହ୍ଲଇ ଚରଣ ସାହୁ ଏବଂ ପ୍ରଦୀପ୍ତ ବାରିକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଧୁମିତା ବହିଦାର, ସୁମନ୍ତ ମହାକୁଲ, ସୁବ୍ରତ ପଣ୍ଡା, କାଜଲ ଆଇନ, ଅଧେଶ ଲୁହୁରା ଓ ଧର୍ମେନ୍ଦ୍ର ପଧାନ ପ୍ରମୁଖ ନୃସିଂହ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ସୀମା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

