Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂଚନା କର୍ମୀ ସୁରଥ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ସିନ୍ଧେକେଲା ଥାନା ଘେରାଉ ।

ବଲାଙ୍ଗୀର,୨୦।୧୧: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ସୂଚନା ଅଧିକାର (RTI) କର୍ମୀ ତଥା ବିଶିଷ୍ଟ ସମାଜସେବୀ ସୁରଥ ବେହେରାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ଆଠ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଆକ୍ରମଣକାରୀ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ସୁଣ୍ଢି ସମାଜ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ସିନ୍ଧେକେଲା ଥାନା ଘେରାଉ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ତାରିଖ ଦିନ ସିନ୍ଧେକେଲା ଥାନା ଅନ୍ତର୍ଗତ ଭୂର୍ଷାଗୁଡ଼ା ନିକଟରେ କେତେକ ଦୁର୍ବୃତ୍ତ ସମାଜସେବୀ ସୁରଥ ବେହେରାଙ୍କୁ ଡାକି ନେଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ଏ ନେଇ ଗତ ୧୪ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ଏବଂ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା।
ଅଭିଯୋଗ ହେବାର ଆଠ ଦିନ ପରେ ମଧ୍ୟ ପୋଲିସ ପ୍ରଶାସନ ଚୁପ୍ ବସିଥିବା ଏବଂ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିବା ଅଭିଯୋଗ କରି ଶତାଧିକ ଲୋକ ଓ ସୁଣ୍ଢି ସମାଜର କର୍ମକର୍ତ୍ତା ସିନ୍ଧେକେଲା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ବିରୋଧରେ ନାରାବାଜି କରିଥିଲେ। ଆକ୍ରମଣ ପୂର୍ବରୁ ସୁରଥ ବେହେରାଙ୍କୁ ଆସିଥିବା ଏକ ସନ୍ଦେହଜନକ ଫୋନ୍ କଲ୍ (ଯେଉଁଥିରେ ‘ରାଜୁ ବାରିକ’ ନାମ ଦୃଶ୍ୟମାନ ହେଉଥିଲା) ସମ୍ପର୍କରେ ମଧ୍ୟ ନିରପେକ୍ଷ ତଦନ୍ତ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି।
ଏହି ଆକ୍ରମଣ ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ନିର୍ଦ୍ଦେଶଦାତାଙ୍କ ପର୍ଦ୍ଦାଫାସ କରିବା ସହ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ସମାଜ ପକ୍ଷରୁ ଦାବି କରାଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ପୋଲିସ ଯଦି କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରେ, ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଆବଶ୍ୟକ ପଡ଼ିଲେ ରାସ୍ତାରୋକ, ଚକାଜାମ ଏବଂ ସମଗ୍ର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବନ୍ଦ କରାଯିବ ବୋଲି ଥାନା ଘେରାଉ ବେଳେ ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ, ଚିକିତ୍ସାଧୀନ ଥିବା ଆହତ ସୁରଥ ବେହେରା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ, ତାଙ୍କର କାହା ସହିତ କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା। କେବଳ ସାର୍ବଜନୀନ ସ୍ୱାର୍ଥ ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବାରୁ ତାଙ୍କୁ ଏହିପରି ମରଣାନ୍ତକ ଆକ୍ରମଣ କରାଯାଇଛି। ବର୍ତ୍ତମାନ ସେ ଶାରୀରିକ ଭାବେ ଅକ୍ଷମ ଅବସ୍ଥାରେ ଥିବା ବେଳେ ଜନସାଧାରଣଙ୍କ ଆଶୀର୍ବାଦରୁ ବଞ୍ଚି ରହିଛନ୍ତି। ଆଗାମୀ ଦିନରେ ଯେପରି ଅନ୍ୟ କାହାର ଜୀବନ ବିପଦରେ ନ ପଡ଼େ, ସେଥିପାଇଁ ଏହି ଘଟଣାର ପର୍ଦ୍ଦାଫାସ କରିବାରେ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories