ଟିଟିଲାଗଡ଼ ପାର୍କରେ ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ମରା ଘଟଣା; ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା ।
ବଲାଙ୍ଗିର,୨୧।୧୧: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ସ୍ଥିତ ଜନଗହଳିପୂର୍ଣ୍ଣ ଆଇ ଲଭ୍ ପାର୍କ ନିକଟରେ ଯୁବତୀମାନଙ୍କୁ ଅସଦାଚରଣ ଓ ଆକ୍ରମଣ କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ଯୁବତୀମାନଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ଦୁଇଦିନ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ଆଜି ଏହାର ଭିଡିଓ ସାମ୍ନାକୁ ଆସିଛି। ଅଭିଯୋଗ ମୁତାବକ, ୩ ଜଣ ନିଶାସକ୍ତ ଯୁବକ ଯୁବତୀମାନଙ୍କୁ ଅସଦାଚରଣ କରିଥିଲେ। ଯୁବତୀମାନେ ଏହାର ତୀବ୍ର ପ୍ରତିବାଦ କରିବାରୁ ଉକ୍ତ ଯୁବକମାନେ ସେମାନଙ୍କୁ ମାଡ଼ ମାରିଥିଲେ।
ଏହି ଘଟଣାକୁ ନେଇ ପୂର୍ବରୁ ଟିଟିଲାଗଡ଼ ଥାନାରେ ୩ ଜଣ ଯୁବକଙ୍କ ନାମରେ ଅଭିଯୋଗ କରାଯାଇଥିଲା। ତେବେ ସ୍ଥାନୀୟ ସ୍ତରରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ ପୀଡ଼ିତା ଯୁବତୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଉଚିତ ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଯୁବତୀମାନେ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅନ୍ୟପଟେ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଅସଦାଚରଣ ଏବଂ ଆକ୍ରମଣ ଘଟଣା ସହରରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସପିଙ୍କ ହସ୍ତକ୍ଷେପ ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିବା ସୂଚନା ମିଳିଛି।

