Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତଳପଡ଼ାରେ ମଦ ଓ ନିଶାର ସାମ୍ରାଜ୍ୟ: ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ନିଷ୍କ୍ରିୟତା ବିରୋଧରେ ଗର୍ଜିଲେ ୧୯ ମହିଳା ଗ୍ରୁପ୍, ଆଇନ ହାତକୁ ନେବାର ଖୋଲା ଚେତାବନୀ ।

ବଲାଙ୍ଗୀର,୨୩।୧୧: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ପାତଳପଡ଼ା ଗ୍ରାମ ଏବେ ବେଆଇନ୍ ମଦ, ଗଞ୍ଜେଇ କାରବାରର ଖୋଲା ବଜାର ପାଲଟିଛି। ପ୍ରଶାସନ ଓ ଅବକାରୀ ବିଭାଗର ନୀରବତା ଓ ଢିଲା କାର୍ଯ୍ୟାନୁଷ୍ଠାନକୁ ସୁଯୋଗ ମାନି ବେଆଇନ୍ ନିଶା ବେପାରୀ ମାନେ ଗାଁରେ ଆତଙ୍କରାଜ ଚଳାଇଥିବା ବେଳେ, ଏହାର ପ୍ରତିବାଦରେ ୧୯ଟି ମହିଳା ଏସଏଚଜି ଗ୍ରୁପ୍ ଏକଜୁଟ୍ ହୋଇ ମୁରିବାହାଲ ଥାନା ଘେରାଉ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଆବଶ୍ୟକ ପଡ଼ିଲେ ଆଇନକୁ ହାତକୁ ନେବାକୁ ଖୋଲା ଚେତାବନୀ ଦେଇଛନ୍ତି।
ମାତ୍ର ଦୁଇ ୱାର୍ଡ ବିଶିଷ୍ଟ ପାତଳପଡ଼ାରେ ଚାରିରୁ ଅଧିକ ଦେଶୀ ମଦ କୋଠି ଚାଲୁଥିବା ବେଳେ ସେଠାରେ ଗଞ୍ଜେଇ ଓ କଫ୍ ସିରଫ୍ ଭଳି ମାରାତ୍ମକ ନିଶାଦ୍ରବ୍ୟ ବେଧଡ଼କ ବିକ୍ରି ହେଉଛି। ହଳଦୀ ମଦଭାଟିରୁ ମଦ ଆଣି ବିଦେଶୀ ପୋଡ଼, ଶ୍ରୀକୃଷ୍ଣ ରଣା, ଡମ୍ବରୁଧର ରଣା ଓ ବିଦ୍ୟା ରଣା ଗାଁରେ କୋଠି ବସାଇ ଅପମିଶ୍ରିତ ମଦ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସବୁଠାରୁ ଉଦବେଗଜନକ କଥା ହେଉଛି, କେତେକ ବ୍ୟକ୍ତି ନିଜ କିରାନା ଦୋକାନରେ ମଧ୍ୟ ନିଶାଦ୍ରବ୍ୟ ରଖି ବିକ୍ରି କରୁଥିବାରୁ ଛୋଟ ଛୁଆ ଓ ସାଧାରଣ ଲୋକେ ତେଜରାତି ସାମଗ୍ରୀ କିଣିବାକୁ ଗଲେ ଅପ୍ରତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।
ନିଶା କାରବାର ଯୋଗୁଁ ପାତଳପଡ଼ାରେ ସାମାଜିକ ଶାନ୍ତି ଓ ସୁରକ୍ଷା ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଛି। ନିଶାସକ୍ତ ବ୍ୟକ୍ତିମାନେ ଗାଁ ରାସ୍ତା ଓ ଛକରେ ପଡ଼ି ରହି ଅଶ୍ଳୀଳ ଗାଳିଗୁଲଜ କରୁଥିବାରୁ ମହିଳା, ଝିଅ, ବୋହୂ ଓ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଛୋଟ ପିଲାମାନେ ଘରୁ ବାହାରିବା ଓ ସ୍କୁଲ-ରାସ୍ତାରେ ଯିବାଆସିବା କରିବାକୁ ଡରୁଛନ୍ତି। ଅନ୍ୟପଟେ କମ୍ ବୟସରୁ କିଶୋର ଓ ଯୁବକମାନେ ନିଶା କବଳିତ ହୋଇ ଘରେ ଓ ବାହାରେ ଗଣ୍ଡଗୋଳ ଓ ଅପରାଧ ଘଟାଉଛନ୍ତି। ମଦ ପାଇଁ ଟଙ୍କା ନ ମିଳିଲେ ନିଶାସକ୍ତମାନେ ଘରର ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମାରପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି।
ବାରମ୍ବାର ବାରଣ ସତ୍ତ୍ୱେ ଚାରିଜଣ ବେଆଇନ୍ ବିକ୍ରେତା ନିଶା ବିକ୍ରି ବନ୍ଦ ନ କରିବା ସହ ଓଲଟା ମହିଳା ମାନଙ୍କୁ ଧମକଚମକ ଓ ଗାଳିଗୁଲଜ କରୁଛନ୍ତି। ଏଭଳି ସ୍ଥିତିରେ ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ କଣ୍ଟାବାଞ୍ଜି ଅବକାରୀ ବିଭାଗର ଆଇଆଇସି ତିଳକ ରାମ ନାଏକଙ୍କୁ ପଚାରିବାରୁ ଏବାବଦରେ ଆମେ ଅଭିଯୋଗ ପାଇ ଗତକାଲି ପାତଲପଡ଼ା ଗାଁକୁ ଆମ ବିଭାଗ ଯାଇ ତଦନ୍ତ କରିଛି ଏବଂ ସଂପୃକ୍ତ ମଦ ଓ ଗଞ୍ଜେଇ ବେପାରୀ ଉପରେ ନଜର ରଖାଯାଇଛି ଯଦି ପରବର୍ତ୍ତୀ ସମୟରେ ସେମାନଙ୍କ ବିରୁଦ୍ଧରେ ବେଆଇନ୍ ନିଶା ଦ୍ରବ୍ୟ ବିକ୍ରିର ଅଭିଯୋଗ ପାଇଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି । ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ, ଅବକାରୀ ବିଭାଗ କେବଳ ନାମକୁ ମାତ୍ର ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଛାଡ଼ି ଦେଉଥିବାରୁ ସେମାନେ ପୁଣିଥରେ ବେଆଇନ୍ କାରବାରକୁ ଆହୁରି ଜୋରଦାର କରୁଛନ୍ତି।
ମାଁ ମାଣିକେଶ୍ୱରୀ, ବିଶ୍ୱକର୍ମା, ସନ୍ତୋଷୀ, ମାଉଲି, ବାବା, ଯାଜ୍ଞସେନୀ, ଡଙ୍ଗରବୁଢ଼ା, ଚଣ୍ଡୀ, କୁରାଳ, ଓଁ ନମଃ ଶିବାୟ, ହରଗୌରୀ, ବୃନ୍ଦାବତୀ, ରତ୍ନେଶ୍ୱରୀ, ପାଟଣେଶ୍ୱରୀ, ସରସ୍ୱତୀ ଓ ହରପ୍ରିୟା ସମେତ ୧୯ଟି ମହିଳା ଗ୍ରୁପ୍ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ତୁରନ୍ତ ମଦ ଓ ନିଶା ବିକ୍ରି ବନ୍ଦ କରାନଗଲେ ସେମାନେ ବାଧ୍ୟ ହୋଇ ଆଇନକୁ ହାତକୁ ନେବେ। ଥାନାରୁ ଫେରିବା ପରେ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଏକ ବୈଠକ କରି ଗାଁରୁ ନିଶା ସାମ୍ରାଜ୍ୟ ଉଚ୍ଛେଦ ପାଇଁ ରଣହୁଙ୍କାର ଦେଇଛନ୍ତି।
ଏନେଇ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା କହିଛନ୍ତି ଯେ, ମହିଳା ଗ୍ରୁପ୍‌ ମାନଙ୍କ ଅଭିଯୋଗ ଆଧାରରେ ବେଆଇନ୍ ମଦ ବିକ୍ରେତା ମାନଙ୍କୁ ଥାନାରେ ଅଟକ ରଖାଯାଇ ଆଗକୁ ଏଭଳି ବେଆଇନ୍ କାରବାର ବନ୍ଦ ରଖିବାକୁ କଡ଼ା ତାଗିଦ୍ କରାଯାଇଛି। ତେବେ କେବଳ ତାଗିଦ୍ ଓ ଅଟକରେ ସୀମିତ ନ ରହି ପ୍ରଶାସନ ଓ ଅବକାରୀ ବିଭାଗ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ଲନାହିଁ, ତାହା ଉପରେ ଏବେ ସମଗ୍ର ଅଞ୍ଚଳର ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories