Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ; ମଥୁରା ନଗରୀରେ ପରିଣତ ବଙ୍ଗୋମୁଣ୍ଡା, ପୌରାଣିକ ନାଟ୍ୟାଭିନୟରେ ବିଭୋର ଦର୍ଶକ ।

ବଲାଙ୍ଗୀର,୨୨।୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳପଡ଼ିଆରେ ଆଜିଠାରୁ (ନଭେମ୍ବର ୨୨) ଆରମ୍ଭ ହୋଇଛି ଅଞ୍ଚଳର ପ୍ରସିଦ୍ଧ ୪୦ତମ ଧନୁଯାତ୍ରା ମହୋତ୍ସବ। ଆସନ୍ତା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି ଚାଲିବାକୁ ଥିବା ଏହି ଐତିହାସିକ ଓ ସାଂସ୍କୃତିକ ମହୋତ୍ସବକୁ ନେଇ ସମଗ୍ର ବଙ୍ଗୋମୁଣ୍ଡା ଓ ଆଖପାଖ ଅଞ୍ଚଳରେ ପୌରାଣିକ ଓ ପାର୍ବଣ ପରିବେଶ ସୃଷ୍ଟି ହୋଇଛି।
ପରମ୍ପରା ଅନୁଯାୟୀ, ଆଜି ସକାଳେ ଗ୍ରାମର ଇଷ୍ଟଦେବୀ ମାଁ ଦ୍ୱାରସେହ୍ନି (ଦ୍ୱାରସେନୀ)ଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ପବିତ୍ର ମଶାଲକୁ ଧନୁଯାତ୍ରା ପଡ଼ିଆକୁ ଅଣାଯାଇ ବିଧିବଦ୍ଧ ଭାବେ ସ୍ଥାପିତ କରାଯାଇଥିଲା। ସନ୍ଧ୍ୟାରେ ମଞ୍ଚ ପୂଜା ସହ ମହାରାଜ ଉଗ୍ରେସନଙ୍କ ଦରବାର ଆରମ୍ଭ ହୋଇଥିଲା। ଚଳିତ ବର୍ଷ ହସ୍ତୀ ପିଠିରେ ବସି ମହାରାଜ ଉଗ୍ରେସନ ପାତ୍ର ଓ ମନ୍ତ୍ରୀଙ୍କ ସହ ରଙ୍ଗମଞ୍ଚକୁ ପ୍ରବେଶ କରିବା ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ଥିଲା। ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ଏବେ ମଥୁରା ନଗରୀରେ ପରିଣତ ହୋଇଛି।
ପ୍ରଥମ ସନ୍ଧ୍ୟାରେ ଦ୍ୱାପର ଯୁଗର ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟ୍ୟାଭିନୟ ପରିବେଷିତ ହୋଇଥିଲା। ଦେବକୀ ଓ ବସୁଦେବ ବିବାହ, ଶୂନ୍ୟବାଣୀ, ମହାରାଜ ଉଗ୍ରେସନଙ୍କ ଗାଦିଚ୍ୟୁତ, ଦେବକୀ-ବସୁଦେବ କାରାଗାରରେ ବନ୍ଦୀ, କଂସଙ୍କ ରାଜ୍ୟାଭିଷେକ ଓ ଦେବକୀଙ୍କ ଷଡ଼ପୁତ୍ର ନିଧନ ଆଦି ଦୃଶ୍ୟରେ ବରିଷ୍ଠ କଳାକାରଙ୍କ ନିଖୁଣ ଅଭିନୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା।
ରାଜ ଦରବାରରେ ରାଜକୀୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, କାର୍ଯ୍ୟକାରୀ ସଭାପତି ସୁଶୀଲ ଜୈନ, ଉପସଭାପତି ଡ଼ଃ ନାରାୟଣ ମିଶ୍ର, ଶରତ ଚନ୍ଦ୍ର ସିଂ ଭୋଇ, ଅମିତ କୁମାର ଥନାପତି, ସମ୍ପାଦକ କହ୍ନେୟାଲାଲ ଅଗ୍ରୱାଲ ଏବଂ ଉପଦେଷ୍ଟା କିଶୋର ମେହେର ଯୋଗଦେଇଥିଲେ। ଧନୁଯାତ୍ରା କେବଳ ମନୋରଞ୍ଜନ ନୁହେଁ, ବରଂ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳା, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ବିରୋଧରେ ନ୍ୟାୟର ସଂଗ୍ରାମର ଏକ ଜୀବନ୍ତ ଚିତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ମହୋତ୍ସବକୁ ଅଧିକ ରଙ୍ଗାରଙ୍ଗ କରିବା ପାଇଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ଏହା ସହିତ ମହୋତ୍ସବ ପଡ଼ିଆରେ ମୀନାବଜାର, ଆକାଶ ଦୋଳି ଓ ଜଳପରୀ ଭଳି ମନୋରଞ୍ଜନ ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରୁଛି।
୪୦ ତମ ବର୍ଷରେ ପଦାର୍ପଣ କରିଥିବା ଏହି ମହୋତ୍ସବକୁ ସଫଳ କରିବା ପାଇଁ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସଭାପତି ତୁଲସୀରାମ ହଂସ, କାର୍ଯ୍ୟକାରୀ ସଭାପତି ସୁଶୀଲ ଜୈନ, ଉପସଭାପତି ଡ଼ଃ ନାରାୟଣ ମିଶ୍ର, ଶରତଚନ୍ଦ୍ର ସିଂ ଭୋଇ, ଅମିତ କୁମାର ଥନାପତି, ସମ୍ପାଦକ କହ୍ନେୟା ଲାଲ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଯୀଶୁ ରଞ୍ଜନ ହଂସ, କୋଷାଧ୍ୟକ୍ଷ ମୁକେଶ ଜୈନ, ଉପକୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପୁଟେଲ, ଦେବେନ୍ଦ୍ର ହଂସ, ସାଂସ୍କୃତିକ ସମ୍ପାଦକ ତ୍ରିନାଥ ବାରିକ, ସନାତନ ସା, ପିଆରଓ ଉଗ୍ରେସନ ସା, ଗଣ ଥନାପତିଙ୍କ ସମେତ ସମସ୍ତ ସଦସ୍ୟ, କଳାକାର ଓ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଛନ୍ତି। ଦୀର୍ଘ ୪୦ ବର୍ଷର ଏହି ସାଂସ୍କୃତିକ ପରମ୍ପରା ଆଗାମୀ ପିଢ଼ି ପାଇଁ କଳା, ସଂସ୍କୃତି ଓ ଭାଇଚାରାର ପ୍ରେରଣା ହୋଇ ରହିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories