ଜାତୀୟ ଖୋ-ଖୋ ମଞ୍ଚରେ ବଲାଙ୍ଗୀରର ଗୌରବ: ଭଦୋଦରାରେ ଓଡ଼ିଶା ଦଳରେ ଚାନ୍ଦିନୀ ଜାଲ୍
ବଲାଙ୍ଗୀର,୨୨।୧୧: ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରି ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଉପରବାହାଲ ଗ୍ରାମର ପ୍ରତିଭାବାନ ଖେଳାଳି ଚାନ୍ଦିନୀ ଜାଲ୍। ସେ ଓଡ଼ିଶା ଜୁନିୟର ବାଳିକା ଖୋ-ଖୋ ଦଳରେ ସ୍ଥାନ ହାସଲ କରିବା ସହ ଗୁଜରାଟର ଭଦୋଦରାରେ ଚାଲିଥିବା ଜାତୀୟ ପ୍ରତିଯୋଗିତାରେ ରାଜ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗୁଜରାଟର ଭଦୋଦରା ଠାରେ ନଭେମ୍ବର ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୪୫ତମ ଜୁନିୟର ଜାତୀୟ ଖୋ-ଖୋ ଚାମ୍ପିୟନଶିପ୍ ଅନୁଷ୍ଠିତ ହେଉଛି। ଏହି ପ୍ରତିଷ୍ଠିତ ଜାତୀୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବାଳିକା ଦଳର ସଦସ୍ୟା ଭାବେ ଚାନ୍ଦିନୀ ଖେଳୁଛନ୍ତି। ଗ୍ରାମାଞ୍ଚଳରୁ ଉଠି ଜାତୀୟ ସ୍ତରର ପ୍ରତିଯୋଗିତାରେ ସାମିଲ ହେବା ଚାନ୍ଦିନୀଙ୍କ କ୍ରୀଡ଼ା ଜୀବନ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି।
ଚାନ୍ଦିନୀଙ୍କ ଏହି ସଫଳତା ଏବଂ ଜାତୀୟ ପ୍ରତିନିଧିତ୍ୱ ପାଇଁ ବଲାଙ୍ଗୀର ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ତାଙ୍କର ଏହି ସଫଳତା ଜିଲାର ଅନ୍ୟ ଯୁବ ଓ ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କ୍ରୀଡ଼ା ମହଲରେ ମତପ୍ରକାଶ ପାଇଛି।

