ପାରଳାଖେମୁଣ୍ଡି କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ସମ୍ମୁଖରେ ମହା ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ସମ୍ମୁଖରେ “ପାରଳାଖେମୁଣ୍ଡି କଳା ସଂସ୍କୃତି ଟ୍ରଷ୍ଟ” ପକ୍ଷରୁ ଏକ ଭବ୍ୟ ମହା ଭଜନ ସମାରୋହ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ସୁମଧୁର କଣ୍ଠରୁ ଝରିଥିବା ଭକ୍ତିମୟ ଭଜନ ଶ୍ରୋତା ଓ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା। ଏହି ଭଜନ ସମାରୋହରେ ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ କୁମାର ବାପି, ବାଙ୍କ ଚାହାଣି ପ୍ରେମ, ନରେନ୍ଦ୍ର କୁମାର, ଲିନା ପ୍ରଧାନ ଓ ପଞ୍ଚାରୀ ଦାସ ପ୍ରମୁଖ ନିଜ ନିଜର ଆକର୍ଷଣୀୟ ଭଜନ ପରିବେଷଣ କରିଥିଲେ। ସେମାନଙ୍କ ମନଛୁଆଁ ସଙ୍ଗୀତ ଓ ଭକ୍ତିରସପୂର୍ଣ୍ଣ ପରିବେଷଣରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ପରିବେଶରେ ଭରିଉଠିଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ଓ ସଙ୍ଗୀତପ୍ରେମୀମାନେ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ କଣ୍ଠଶିଳ୍ପୀଙ୍କ ସଙ୍ଗୀତର ତାଳେ ତାଳେ ଝୁମି ଉଠିଥିଲେ।ଏହି ଭବ୍ୟ ଉତ୍ସବରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏବଂ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସେମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଓ ଆଳତି ଅର୍ପଣ କରିବା ପରେ ଆନୁଷ୍ଠାନିକ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ପାରଳା ସହରର କଳା, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାକୁ ଉଜ୍ଜୀବିତ କରିବା ସହ ସଙ୍ଗୀତ ମାଧ୍ୟମରେ ଭକ୍ତି ଓ ଆନନ୍ଦର ବାର୍ତ୍ତା ପ୍ରସାର କରିବା ଏହି ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପାରଳା କଳା ସଂସ୍କୃତି ଟ୍ରଷ୍ଟର ଏଭଳି ଉଦ୍ୟମକୁ ସହରବାସୀ ଓ ସଙ୍ଗୀତପ୍ରେମୀ ମହଲରେ ପ୍ରଶଂସା କରାଯାଇଛି।

