ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୪/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଅଙ୍କିତା ପ୍ରଧାନ, ଏବିଡିଓ ସାଧୁଚରଣ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରମଣ୍ୟମ ପଣ୍ଡା, ବିଭାଗ ଅଧିକାରୀ ନାରାୟଣ ଦଳପତି ଓ ବୁଦ୍ଧିଜୀବୀ ଜଗନ୍ନାଥ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ବ୍ଲକ ସ୍ତରରେ ଚଇତି ମହୋତ୍ସବକୁ ସୁସଂଗଠିତ ଓ ସଫଳତାର ସହ ପାଳନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟର ରୂପରେଖ ନିର୍ଦ୍ଧାରଣ ସହ ଏକାଧିକ କମିଟି ଗଠନ କରାଯାଇଥିଲା। ମହୋତ୍ସବରେ ମଞ୍ଚ ପ୍ରସ୍ତୁତି ଓ ପରିଚାଳନା, କଳସ ଶୋଭାଯାତ୍ରା, ପାରମ୍ପରିକ ବାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାଂସ୍କୃତିକ ଦଳଗୁଡ଼ିକୁ ପୁରସ୍କୃତ, ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା, ଅତିଥି ସମ୍ବର୍ଦ୍ଧନା, ଷ୍ଟଲ ପ୍ରସ୍ତୁତି, ଜନପ୍ରତିନିଧି ଓ ଜନସାଧାରଣଙ୍କ ପାଇଁ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଏବଂ ଆଇନଶୃଙ୍ଖଳା ରକ୍ଷା ଆଦି ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକକୁ ଜିପିଡିଓ ଅଜିତ କୁମାର ହୋତା ପରିଚାଳନା କରିଥିବା ବେଳେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ, ଏବିଇଓ ପିତୃଦେବ ବିଡିକା, ସିଡିପିଓ ଜ୍ୟୋତ୍ସ୍ନାରାଣୀ ବାରିକ, ବ୍ଲକ ପଶୁ ସମ୍ପଦ ଅଧିକାରୀ ଈଶ୍ୱରଆନନ୍ଦ ସେନାପତି, ରାଜସ୍ୱ ନିରୀକ୍ଷକ ସସ୍ମିତା ମିଶ୍ର, ଉଦ୍ୟାନ କୃଷି ବିଭାଗର ଭି. ରମେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ବ୍ଲକର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଜିପିଡିଓ ଶ୍ରୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

