ବଲାଙ୍ଗୀରରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ: ସିକ୍ୟୁରିଟି ଓ ସିସିଟିଭି ଥାଇ ମଧ୍ୟ ଜଜ୍ଙ୍କ ଘରୁ କଳାକନା ବୁଲାଇଲେ ଚୋର; ମୋବାଇଲ୍ରେ ଧରାପଡ଼ିଲା ପୂରା ଦୃଶ୍ୟ ।
ବଲାଙ୍ଗୀର,୨୬।୧୧: ବଲାଙ୍ଗୀର ସହରରେ ବଢ଼ିଚାଲିଥିବା ଚୋରି ଘଟଣା ଏବେ ଆଇନଶୃଙ୍ଖଳା ଓ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲକ୍ଷ୍ମୀଜୋର ଥାନା ଅନ୍ତର୍ଗତ ଚମାରଟିକ୍ରାପଡ଼ା ସ୍ଥିତ ‘ରୟାଲ୍ ଏକ୍ସୋଟିକା’ ସୋସାଇଟିର ୧୫ ନମ୍ବର କ୍ୱାର୍ଟର୍ରେ ରହୁଥିବା ଜଣେ ଜଜ୍ଙ୍କ ଘରୁ ତିନି ଜଣ ଚୋର କଳାକନା ବୁଲାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଭୟର ବାତାବରଣ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଉକ୍ତ ଘରେ ରହୁଥିବା ଜଜ୍ ମ୍ୟାଡମ୍ ଗତ ୨୦ ତାରିଖରେ ତାଙ୍କ ମାଆଙ୍କ ସହିତ ବାହାରକୁ ଯାଇଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତିନି ଜଣ ଚୋର ଘର ଭିତରେ ପଶି ଚୋରି କରିଥିଲେ। ତେବେ ଜଜ୍ ମ୍ୟାଡମ୍ଙ୍କ ମୋବାଇଲ୍ରେ ସିସିଟିଭି ଆକ୍ସେସ୍ ଥିବାରୁ ସେ ଦୂରରେ ଥାଇ ମଧ୍ୟ ମୋବାଇଲ୍ ମାଧ୍ୟମରେ ଚୋରମାନେ ଘର ଭିତରେ ପଶି କ’ଣ କ’ଣ ଚୋରି କରୁଛନ୍ତି, ତାହା ସ୍ପଷ୍ଟ ଭାବେ ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଘର ମାଲିକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ଘର ମାଲିକ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଛାନଭିନ୍ ଆରମ୍ଭ କରିଛନ୍ତି।
ସବୁଠାରୁ ଉଦ୍ବେଗଜନକ କଥା ହେଉଛି ଯେ ସୋସାଇଟି ପରିସରରେ ସିସିଟିଭି କ୍ୟାମେରା ଲାଗିବା ସହିତ ୨୪ ଘଣ୍ଟିଆ ସିକ୍ୟୁରିଟି ଗାର୍ଡ ମୁତୟନ ଅଛନ୍ତି। ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, ସେମାନେ ତିନୋଟି ସିଫ୍ଟରେ ୮-୮ ଘଣ୍ଟା ଲେଖାଏଁ ଡ୍ୟୁଟି କରନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗମନ ଓ ପ୍ରସ୍ଥାନର ଏଣ୍ଟ୍ରି ରଖନ୍ତି ଏବଂ ରାତିରେ ପଚରାଉଚରା ପରେ ଗେଟ୍ ଖୋଲନ୍ତି। ତଥାପି ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଚୋରମାନେ କିପରି ଭିତରକୁ ପଶିଲେ, ତାହା ସମସ୍ତଙ୍କୁ ଚକିତ କରିଛି। ଚୋରମାନେ ପଛପଟୁ ସୋସାଇଟି ଭିତରକୁ ପଶିଥିବା ଅନୁମାନ କରାଯାଉଛି।
ଅନ୍ୟପଟେ, ସୋସାଇଟି ବାସିନ୍ଦା ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଆଶଙ୍କା ବଢ଼ିବାରେ ଲାଗିଛି। ଏକ ସୁରକ୍ଷିତ ଆବାସିକ ସୋସାଇଟି ତଥା ଜଣେ ନ୍ୟାୟିକ ଅଧିକାରୀଙ୍କ ଘରୁ ଚୋରି ହେବା ଘଟଣାକୁ ପୋଲିସ ଅତ୍ୟନ୍ତ ଗୁରୁତ୍ୱର ସହିତ ନେବା ଆବଶ୍ୟକ ବୋଲି ବାସିନ୍ଦାମାନେ ମତ ଦେଇଛନ୍ତି। ବଲାଙ୍ଗୀର ସହର ଓ ଆଖପାଖ ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ଲୋକେ ଅସୁରକ୍ଷିତ ମଣୁଛନ୍ତି। ଚୋରମାନଙ୍କୁ ଶୀଘ୍ର ଗିରଫ କରିବା ସହ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

