Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଇଁତଳାରେ ହାଇଭୋଲଟେଜ୍ ଟାୱାରରେ ଚଢ଼ିଗଲେ ଯୁବକ; ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ସ୍ଥାନାନ୍ତର ।

ବଲାଙ୍ଗୀର,୨୮।୧୧: ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ତଥା ଉତ୍ତେଜନାପୂର୍ଣ୍ଣ ଘଟଣା ଘଟିଛି । ଗାଁ ନିକଟରେ ଥିବା ଏକ ହାଇଭୋଲଟେଜ୍ ବିଦ୍ୟୁତ ଟାୱାର ଉପରକୁ ଜଣେ ଯୁବକ ଚଢ଼ିଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଖମାରମୁଣ୍ଡା ଗାଁର ସିଦ୍ଧେଶ୍ୱର ଭୋଇ (୩୨) ନାମକ ଜଣେ ଯୁବକ ହଠାତ୍ ଗାଁ ନିକଟସ୍ଥ ହାଇଭୋଲଟେଜ୍ ବିଦ୍ୟୁତ ଟାୱାର ଉପରକୁ ଚଢ଼ିଯାଇଥିଲେ । ଏହା ଦେଖି ଗ୍ରାମବାସୀମାନେ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୁଇଁତଳା ପୋଲିସ, ଦମକଳ ବାହିନୀ, ଜଙ୍ଗଲ ବିଭାଗ କର୍ମଚାରୀ ଏବଂ ପୁଇଁତଳା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଟାୱାର ଉପରୁ ତଳକୁ ଓହ୍ଲାଇ ଆସିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ସିଦ୍ଧେଶ୍ୱର ତଳକୁ ଓହ୍ଲାଇ ନଥିଲେ । ବରଂ ମଝିରେ ମଝିରେ ବିଦ୍ୟୁତ ତାରକୁ ଧରି ଝୁଲି ପଡୁଥିବା ଦେଖିବାକୁ ମିଳିଥିଲା, ଯାହାଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଯାଇଥିଲା । ବିପଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର ଓ ବୁଝାସୁଝା ଉଦ୍ୟମ ଜାରି ରଖିଥିଲେ ।
ଦୀର୍ଘ ସମୟର ଉଦ୍ୟମ ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ଜଣାପଡ଼ିଛି । ଘଟଣା ପଛର ପ୍ରକୃତ କାରଣ କ’ଣ ରହିଛି, ତାହା ସ୍ୱାସ୍ଥ୍ୟ ପରୀକ୍ଷା ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories