Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭତ୍ତା ପାଇଁ କଳବଳ: ପଞ୍ଚାୟତ ସାଜିଛି ଦୁର୍ବଳ

ସମ୍ବଲପୁର :ବିଭିନ୍ନ ଭତ୍ତା ପାଇବାକୁ ନେଇ ବୟୋବୃଦ୍ଧ ହୀତାଧିକାରୀଙ୍କ କଳବଳ ଦେଖିବାକୁ ନସରେ । ଗତ କିଛି ଦିନ ହେଲା ସମଗ୍ର ସମ୍ବଲପୁର ଜିଲ୍ଲାରେ ଏହି ହୀତାଧିକାରୀ ମାନେ ସେମାନଙ୍କ ସୀମିତ ଭତ୍ତା ପ୍ରାପ୍ୟ ରାଶି ପାଇବାକୁ ପଞ୍ଚାୟତ ଅଫିସରେ ଭିଡ ଜମାଇଥିଲେ। ସେମିତିରେ ଜିଲ୍ଲାରେ ଅଗ୍ନିବର୍ଷା ହେଉଛି । ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳର ଏହି ରୌଦ୍ରତାପକୁ ଖାତିର ନକରି ନିଜର ମାସିକ ଭତ୍ତା ପାଇଁ ପଞ୍ଚାୟତକୁ ଧାଇଁଥିବା ବେଳେ କେଉଁଠି ଇଓ ନାହାଁନ୍ତି କେଉଁଠି ସରପଞ୍ଚ୍ ର ଦେଖାନାହିଁ । ପୁଣି କେଉଁ ପଞ୍ଚାୟତକୁ ଟଙ୍କାବି ପହଞ୍ଚିନାହିଁ । ସରକାରଙ୍କ ଏହି ମନଲୋଭା ଓ ଅଧିକାର ଭଳି ଯୋଜନା କିନ୍ତୁ ବାର୍ଦ୍ଧକ୍ଯରେ ଉପନୀତ ଲୋକଙ୍କୁ କେବଳ କଳବଳ କରୁନି ବରଂ ସେମାନଙ୍କ ମେରୁଦଣ୍ଡ ଉଜାଡି ଦେବା ଭଳି ବର୍ତ୍ତମାନ ସୃଷ୍ଟି ହୋଇଛି ସମ୍ବଲପୁର ଜିଲ୍ଲାରେ । ଶୁଣିବାକୁ ମିଳୁଥିଲା ଏହି ଭତ୍ତା ପଞ୍ଚାୟତ କର୍ତ୍ତୁପକ୍ଷ ନିଜ ପଞ୍ଚାୟତରେ ବାଣ୍ଟିବେ କିଏ ବାର୍ଦ୍ଧକ୍ୟ ଜନିତ ଅସୁବିଧାରୁ ଆସିନପାରିଲେ ପରିବାର ସଦସ୍ୟଙ୍କୁ ନଦେଇ ସିଧାସଳଖ ହୀତାଧିକାରୀଙ୍କ ଘରେ ପହଞ୍ଚି ଏହା ଦେବେ । ଫେଲ ମାରିଛି ସରକାରଙ୍କ ଏ ଆତ୍ମ ଘୋଷଣା । ଲୋକେ ନାହିଁ ନଥିବା ଦୁଃଖ ପାଇ ଏବେ ପଞ୍ଚାୟତ,ବ୍ଲକ୍ ଅଫିସ,ବ୍ୟାଙ୍କ ଭଳି ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ଆଧାର ଲିଙ୍କ,ମୋବାଇଲ ଲିଙ୍କ ଭଳି ବାର୍ଦ୍ଧକ୍ଯ ଜନିତ ମାନସିକ ଶକ୍ତି ଓ ଶ୍ରବଣ ଶକ୍ତି ହରାଇଥିବା ଏଭଳି ହୀତାଧିକାରୀଙ୍କ ପ୍ରତି ପଞ୍ଚାୟତର କିମ୍ବା ବ୍ଲକ ପ୍ରଶାସନର ସାମାନ୍ୟତମ ଦରଦ ନାହିଁ । ଏଭଳି ଜଣେ ହୀତାଧିକାରୀ ନିଜ ଦୁଃଖ ଓ ୩ ଦିନ ଧରି ହଇରାଣ ହେବାପରେ ପଡିଆବାହାଲର ଜଣେ ସାମାଜିକ କର୍ମୀଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢାଇବାକୁ ନିବେଦନ କରିଥିଲେ ।

ବାହାମ ଗ୍ରାମ ପଞ୍ଚାୟତ ବଡତୁରାଙ୍ଗ ଗ୍ରାମର ୮୧ ବର୍ଷିୟ ଶଙ୍କର ମେହେରଙ୍କ ଶୁଖିଲା ଆଖିର ଲୁହ ଦେଖି ଏହି କର୍ମୀ ବ୍ୟାଙ୍କରେ ପହଞ୍ଚି ସମସ୍ୟାର ଅନ୍ତଘଟାଇଥିଲେ । ଏହା ପଞ୍ଚାୟତ ଗୁଡିକରେ ସହଜରେ ହୋଇପାରନ୍ତା। କିନ୍ତୁ ପଞ୍ଚାୟତ ଗୁଡିକ ସେବାଘର ନହୋଇ ଦୋକାନ ଘରପରି ବ୍ୟବହାର କାରଣରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପଞ୍ଚାୟତ ଅଫିସରେ ଆଧାର,ମୋବାଇଲ ଲିଙ୍କ କରାଇ ଏମାନଙ୍କ ମନ ଜିଣିବାକୁ କୌଣସି ସ୍ତରରେ ବିବେକାନୁମୋଦିତ ଲକ୍ଷଣ ପ୍ରକାଶ ପାଇଥିବା ବେଳେ ନିଜ ମୁଣ୍ଡରୁ ଦୋଷର ଅଠା ଛଡାଇବାକୁ ପ୍ରଶାସନିକ କଳ ଭତ୍ତା ଜନିତ ସଚେତନତା ସଭାରେ ମାତିଛନ୍ତି ବୋଲି ଏହି ସାମାଜିକ କର୍ମୀ ଅଭିଯୋଗ ବାଢିଛନ୍ତି । ପୁଣି ଏହି ସଚେତନତା ସଭା ପଞ୍ଚାୟତରେ ନକରି ମନଇଚ୍ଛା କୌଣସି ଏକ ପଡାରେ ବା ଗ୍ରାମରେ ସୀମିତ ଲୋକଙ୍କୁ ନେଇ କରାଯାଉଛି,ଯାହା ପ୍ରଭାବ ଶୂନ୍ୟ। ଏହାର ସଫଳତା ପାଇଁ କୌଣସି ଜଣେ ସରପଞ୍ଚ୍ ମଧ୍ୟ ଏ ଦିଗରେ ପ୍ରୟାସ ନକରି ପ୍ରଶାସନିକ କଳର ଚାପରେ କେବଳ କାମ ଚଳାଇ ଦେଉଛନ୍ତି । ଫଳରେ ତୃଣ ମୂଳ ସ୍ତରରେ ଏହାର କୌଣସି ପ୍ରଭାବ ପଡୁନି।ଯଦ୍ୱାରା ଏହି ବ୍ୟବସ୍ଥା ଉପରେ ହୀତାଧିକାରୀଙ୍କ ମନ ଊଣା ହେଉଥିବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ସରକାର ଉପରକୁ ଯାଉଥିବାରୁ ସରକାର ତୁରନ୍ତ ଏଦିଗରେ ବିହୀତ ବ୍ୟବସ୍ଥା ନକଲେ ଏହା ସେମାନଙ୍କ ପାଇଁହିଁ କାଳ ସାଜିବ । ସଚେତନତା ସଭା ଠାରୁ ପଞ୍ଚାୟତରେ ହୀତାଧିକାରୀଙ୍କ ସମସ୍ୟାର ସମାଧନ ଏକ ମାତ୍ର ପନ୍ଥା ହୋଇଥିବାରୁ ସରକାର ଯଥାଶିଘ୍ର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତାକୁ ଅନୁଭବ କରାଯାଉଥିବା କୁହାଯାଇଛି ।