ବାଉରୀଗୋଡା ଠାରେ ପ୍ରତିଭା ସମ୍ମାନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
 
        ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଉରିଗୋଡା ରାଜୀବ ଭବନ ଠାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଏକ ଭବ୍ୟ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତଥା ଯୁବ ସାମାଜିକ କର୍ମୀ ଗୋବର୍ଦ୍ଧନ ବାଘ ଯୋଗ ଦେଇ ନିଜ ଜନ୍ମଦିନ ଉପଲକ୍ଷେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଟପ୍ପର ହୋଇଥିବା ଭୂମିକା ନାୟକ, ଶିବ ଓରାମ ଓ ରତି କ୍ରିଷ୍ଣା ବାଘଙ୍କ ସମେତ ପାସ କରିଥିବା ଚାଳିଶ ଜଣ ଛାତ୍ରଛାତ୍ରୀଙ୍କୁ ଡାଏରୀ, ମାନପତ୍ର ଓ ପୁଷଗୁଛ ଦେଇ ସମ୍ମାନିତ କରିଥିଲେ। ଏଥିସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଜନଆନ୍ଦୋଳନ ର ରୂପ ଦେଇଥିବା ତଥା ଏକାଧିକବାର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶ୍ରୀ ନାୟକ, ଅର୍ଗାନିକ ଚାଷୀ ଭାବରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ଚାଷୀ ସଦାଶିବ ଭୋଇ ଏବଂ ଭଲ ପରୀକ୍ଷା ଫଳ ପ୍ରକାଶନ ପାଇଁ ସ୍ଥାନୀୟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳ ମୋହନ ପଟେଲଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ସରପଞ୍ଚ ଶ୍ରୀ ବାଘ ସମ୍ମାନିତ କରିଥିଲେ।ଉତ୍ସବରେ ସମିତି ସଭ୍ୟ ନରେଶ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବିନୋଦ ବାଘ ସ୍ୱାଗତ ଭାଷଣ ଦେଇଥିବା ବେଳେ ହିନ୍ଦୀ ଶିକ୍ଷକ ଘନଶ୍ୟାମ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହା ପରେ ସରପଞ୍ଚଙ୍କ ସହ ସମସ୍ତ ଅତିଥି,ୱାର୍ଡ ସଭ୍ୟ, ସଭ୍ୟା ଏବଂ ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ, କବି ରଜନୀ ପଟେଲ, ନାଏବ ସରପଞ୍ଚ କନକ ଛତ୍ରିଆଙ୍କ ସମେତ ଶତାଧିକ ସ୍ବେଚ୍ଛାସେବୀ ଯୋଗଦେଇ ସ୍କୁଲ ପରିସରରେ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଶ୍ରୀ ନାଏକ ଓ ସରପଞ୍ଚ ଶ୍ରୀ ବାଘ ଚଳିତ ବର୍ଷ ଏହି ଗ୍ରାମ ପଞ୍ଚାୟତରେ ଏକ ହଜାର ଚାରା ରୋପଣ କରାଯିବ ବୋଲି ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ଟିକୁ ସ୍ଥାନୀୟ ଏମବିକେ କ୍ଷିରୋଦିନି କଣ୍ଟା, ସିଆରପି ନିରୁପମା ସେଠ ଏବଂ ଲବଙ୍ଗ ରକ୍ସା ପ୍ରମୁଖ ପରିଚାଳନା କରିଥିବା ବେଳେ ୧୦ଟି ଗ୍ରାମର ପ୍ରତିନିଧି ମଧ୍ୟ ଅଂଶ ଗ୍ରହଣ କରି ଚାରା ରୋପଣରେ ସହଯୋଗ କରିଥିଲେ।

 
                        
 
                                 
                                 
                                 
                                 
                                