ବାହାରିଲା ଯୁକ୍ତ୨ ପ୍ରଥମ କଟ୍ ଅଫ୍ ମାର୍କ; ଆଗରେ ରେଭେନ୍ସା


ଭୁବନେଶ୍ବର: ବାହାରିଲା ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ତାଲିକା। କଳା, ବିଜ୍ଞାନ ଓ ବାଣିଜ୍ୟରେ ବାଜି ମାରିଛି ରେଭେନ୍ସା। ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦%, କଳାରେ ୮୦ % ଯାଇଛି କଟ୍‌ ଅଫ୍‌ ମାର୍କ। ସେହିପରି ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % ଯାଇଥିବା ବେଳେ ୮୯% କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ରହିଛି ବିଜେବି କଲେଜ । କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି ।

ପ୍ରଥମ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସୂଚନା ଅନୁଯାୟୀ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ମଧ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ରୁ ପାଠପଢା ଆରମ୍ଭ ହେବ।

ତେବେ ଯୁକ୍ତ ୨ ନାମଲେଖା ପାଇଁ ମେ ୨୯ ରୁ ଆବେଦନ ଆରମ୍ଭ ହୋଇଥିଲା। ଜୁନ୍ ୩୦ ଆବେଦନର ଶେଷ ତାରିଖ ଥିଲା। ଚଳିତଥର ରାଜ୍ୟରେ ଥିବା ୨୧୫୮ଟି କଲେଜ ପାଇଁ ୫ଲକ୍ଷରୁ ଅଧିକ ସିଟ୍‌ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ। ଏଥିରୁ ୪ଲକ୍ଷ ୬୭ ହଜାର ୩୫୮ଜଣ ଅନଲାଇନରେ ଆବେଦନ ଫି ଦାଖଲ କରିଛନ୍ତି।