Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ ଟ୍ରାଜେଡ଼ିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୭ ରେଳ କର୍ମଚାରୀ ସସପେଣ୍ଡ

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡ଼ିରେ ରେଲଓ୍ଵେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ୭ ରେଳ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥିରେ ଗିରଫ ୩ ରେଳ କର୍ମଚାରୀ ମଧ୍ୟ ସାମିଲ୍ ଅଛନ୍ତି। ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ରା ବୁଧବାର ଏହାର ସୂଚନା ଦେଇଛନ୍ତି। କର୍ତ୍ତବ୍ୟରେ ହେଳା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ କହିଛନ୍ତି।

ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର, ମେଣ୍ଟେନରଙ୍କ ଘଟଣାରେ ଭୂମିକା ରହିଛି। ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର, ମେଣ୍ଟେନର ମଧ୍ୟ ସସପେଣ୍ଡ ହୋଇଛନ୍ତି। ସଂପୃକ୍ତ ରେଳ କର୍ମଚାରୀ ଆଲର୍ଟ ଥିଲେ ଦୁର୍ଘଟଣା ଟାଳି ହୋଇ ପାରିଥାନ୍ତା ବୋଲି କୁହାଯାଇଛି। ଅନ୍ୟପଟେ ରିମାଣ୍ଡ ଅବଧି ସରିବା ପରେ ଗତକାଲି ସିବିଆଇ ପୁଣି ଥରେ ଗିରଫ ୩ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ ଏବଂ ଟେକ୍ନିସିଆନ ପପୁ କୁମାରଙ୍କ ୪ ଦିନିଆ ରିମାଣ୍ଡରେ ନେଇଛି।

ସିବିଆଇ ପକ୍ଷରୁ ଗତକାଲି ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିବା ବେଳେ କୋର୍ଟ ୪ ଦିନ ମଞ୍ଜୁର କରିଥିଲେ। ତିନି ଅଭିଯୁକ୍ତଙ୍କ ସହ ୪ କର୍ମଚାରୀଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ବେଳେ ଆଉ କିଛି କର୍ମଚାରୀଙ୍କୁ ଜେରା କରିବାକୁ ଯୋଜନା କରିଛି ସିବିଆଇ। ଷ୍ଟେସନ ମାଷ୍ଟରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଗିରଫଦାରୀ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଇଛି।

ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା କି ? ଏହା ପଛରେ କିଛି ଷଡଯନ୍ତ୍ର ରହିଛି କି ନାହିଁ, ଏସବୁ ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସୁପାରିସକ୍ରମେ ସିବିଆଇ ମାମଲାର ତଦନ୍ତ କରୁଛି।