ନବ ଦାସ ହତ୍ୟା ମାମଲାର ଶୁଣାଣି ଆରମ୍ଭ, ଜେଏମଏଫସି କୋର୍ଟରେ ହାଜର ହେଲା ଗୋପାଳ ଦାସ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଥିଲା। ମାତ୍ର ୧୦ ମିନିଟରେ ଅଭିଯୁକ୍ତ ଗୋପାଳର ଏହି ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ୧୧୮ ଦିନ ପରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ପ୍ରିଲିମିନାରୀ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା । ଏଥିରେ ଦଫା ୩୦୭, ୩୦୨ ଓ ୨୭ (୧) ଆର୍ମସ ଆକ୍ଟ ଲାଗିଛି । ମାମଲାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡ଼ିଥିଲା ।
ସୂଚନାଯାଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମୟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ପୋଲିସ ଏଏସ୍ଆଇ ଗୋପାଳ ଦାସ । ଗୁଳି କରିବା ମାତ୍ରେ ବ୍ରଜରାଜନଗର ପୋଲିସ ଗୋପାଳକୁ ତୁରନ୍ତ କାବୁ କରି ନେଇଥିଲା । କାଳ ବିଳମ୍ବ ନକରି ରାଜ୍ୟ ସରକାର ମାମଲାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇସାରିଛି । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ୍ରେ ରଖାଯାଇଥିଲା । ଗୁରୁବାର ପ୍ରଥମ ଥର ପାଇଁ କୋର୍ଟରେ ହାଜିରା ଦେବାକୁ ଅଣାଯାଇଥିଲା।