Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ରଦ୍ଦି କହିଲେ ସାଂସଦ ସୁରେଶ ପୂଜାରୀ

ସମ୍ବଲପୁର: ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ରାଜନୀତି ଜୋର ଧରିଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଚାର୍ଜସିଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଚାର୍ଜସିଟ ଏକ ରଦ୍ଦି କାଗଜ। ଏହାର ତଦନ୍ତ ଗୋପାଳରୁ ଆରମ୍ଭ ଏବଂ ଗୋପାଳରେ ଶେଷ ହୋଇଛି।

ସୁରେଶ ପୂଜାରୀ କହିଛନ୍ତି, ଦୁର୍ଭାଗ୍ୟର କଥା ଏପର୍ଯ୍ୟନ୍ତ ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ।  ହତ୍ୟାର ତଦନ୍ତ ବାଟବଣା ହେବା ଏହା ହିଁ ସବୁଠୁ ବଡ଼ କାରଣ। ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସାଙ୍ଗରେ କଥା ହୋଇଥିଲା ତାହାର ସବିଶେଷ ତଥ୍ୟ ବି ନାହିଁ। ହତ୍ୟାକାଣ୍ଡର ୧୫ ଦିନ ପୂର୍ବର ଫୋନ ରେକର୍ଡ ବି ସଂଗ୍ରହ କରାଗଲାନି ? କ୍ରାଇମବ୍ରାଞ୍ଚ ମଧ୍ୟ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ, ଏଣୁ ଏହା ଏକ ରଦ୍ଦି କାଗଜ। ଯଦି ଗୋପାଳ ଜଣେ ପାଗଳ ତେବେ ତାକୁ ବନ୍ଧୁକ କାହିଁକି ଇସ୍ୟୁ ହେଲା। ୧୮ ରାଉଣ୍ଡ ଗୁଳି ଆସିଲା କିପରି । ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା। ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡେ? ବନ୍ଧୁକରୁ କେତେ ଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟରେ ନାହିଁ ବୋଲି ସୁରେଶ ପୂଜାରୀ କହିଛନ୍ତି।

ସବୁଠୁ ବଡ଼ ପ୍ରଶ୍ନ ଯେଉଁ ଗୁଳି ନବ ଦାସଙ୍କ ଦେହରେ ବାଜିଥିଲା ତାକୁ ଏଯାଏ ପୁଲିସ ଖୋଜି ପାଇନି। ନବ ଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ, ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି। ଥରେ ଟ୍ରାଫିକରେ ନବ ଦାସଙ୍କ ଗାଡ଼ି ଅଟକାଇବା, ପୁତୁରାକୁ ନେଇ ଚାକିରି ପାଇଁ ନବ ଦାସଙ୍କ ପାଖକୁ ଯିବା ପରେ ନବ ଦାସ କଥା ନ ଶୁଣିବା ଓ ନବ ଦାସଙ୍କ ସମର୍ଥକଙ୍କ ସହ ଝଗଡ଼ା ହୋଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି। ଫଳରେ ଗୋପାଳ ନିଜ ଭାଇ ସହିତ ସମଲେଶ୍ବରୀ ମନ୍ଦିର ଯାଇଥିଲା ଓ ସଂକଳ୍ପ କରିଥିଲା ନବ ଦାସଙ୍କୁ ମାରିବା ପାଇଁ ବୋଲି ସୁରେଶ କହିଛନ୍ତି। କିନ୍ତୁ ବଡ଼ ଭାଇଙ୍କୁ କଣ ଜେରା କରାଗଲା ତାହାର ଚାର୍ଜସିଟରେ ଉଲ୍ଲେଖ ନାହିଁ। ତେବେ ପାଇଖାନା ଟାଙ୍କିରୁ ବାହାରିଥିବା ୩୦ ପୃଷ୍ଠା ପେପରରେ ଲେଖାଯାଇଥିବା ଅକ୍ଷର ସ୍ବଷ୍ଟ ଦୃଶ୍ୟମାନ ଥିଲା ନା ନାହିଁ ସେ ବିଷୟରେ ଚାର୍ଜସିଟରେ କାହିଁକି ଉଲ୍ଲେଖ ନାହିଁ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମୟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ପୋଲିସ ଏଏସ୍ଆ‌ଇ ଗୋପାଳ ଦାସ । ଗୁଳି କରିବା ମାତ୍ରେ ବ୍ରଜରାଜନଗର ପୋଲିସ ଗୋପାଳକୁ ତୁରନ୍ତ କାବୁ କରି ନେଇଥିଲା । କାଳ ବିଳମ୍ବ ନକରି ରାଜ୍ୟ ସରକାର ମାମଲାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇସାରିଛି । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଥିଲା । ଗୁରୁବାର ପ୍ରଥମ ଥର ପାଇଁ କୋର୍ଟରେ ହାଜିରା ଦେବାକୁ ଅଣାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ