Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା; ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ଵର: ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ବର୍ଷା ସତର୍କତା। ସବୁ ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ଶନିବାର ବର୍ଷା ସତର୍କତା ଜାରି କରିଛନ୍ତି। ଆଜିଠୁ ୧୯ ଯାଏଁ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ତେଣୁ ବନ୍ୟା ସ୍ଥିତି ସହ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କାରେ ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ନେଇ ଚିଠି ଲେଖିଛନ୍ତି।

ସହର ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ପମ୍ପ ଲଗାଯାଇ ବର୍ଷା ଜଳ ନିଷ୍କାସନ କରିବାକୁ କୁହାଯାଇଛି। ଜଳ ନିଷ୍କାସନ ଲାଗି ଡ୍ରେନଗୁଡ଼ିକୁ ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଦୀବନ୍ଧ ଓ କେନାଲ ବନ୍ଧର ମରାମତି କରାଯିବା ଉପରେ ଗୁରୁତ୍ବ ଦେବା ଲାଗି କୁହାଯାଇଛି। ବର୍ଷା ଲାଗି ରହିବା ଯୋଗୁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।

ଜଳମଗ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ଯେପରି ସୁରୁଖୁର ଭାବେ ହୋଇପାରେ ସେଥିପ୍ରତି ବି ଧ୍ୟାନ ଦେବାକୁ କୁହାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ହେଡକ୍ୱାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେ କୌଣସି ସ୍ଥିତି ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ବି ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୬ ଏବଂ ୧୭ ତାରିଖରେ ରାଜ୍ୟରେ ବର୍ଷାର ପରିଣାମ ବୃଦ୍ଧି ପାଇବ। ଆଗକୁ ଅଧିକ ଜିଲ୍ଲାରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଭୋରରୁ ରାଜଧାନୀ ଭୁବନେଶ୍ଵରରେ ବର୍ଷା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ