Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ମିଶ୍ରଣ ନେଇ ତେଜିଲା ବିରୋଧ, ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ

ଭୁବନେଶ୍ଵର: ଭୁବନେଶ୍ଵର ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ସବୁ ଦିନ ଲାଗି ତାଲା ପକାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ବିରୋଧର ସ୍ଵର ତେଜିବାରେ ଲାଗିଛି। ସ୍କୁଲ ମିଶ୍ରଣକୁ ବିରୋଧ କରି ଶ୍ରେଣୀ ବର୍ଜନ କରି ସୋମବାର ତାଲା ପକାଇ ଧାରଣାରେ ବସିଛନ୍ତି ଅସନ୍ତୁଷ୍ଟ ଛାତ୍ରୀ ଏବଂ ଅଭିଭାବକ। ନିକଟସ୍ଥ ବାଳକ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ଯୋଜନାକୁ ତୀବ୍ର ବିରୋଧ କରାଯାଉଛି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲରେ ପାଖାପାଖି ୫ ଶହ ଛାତ୍ରୀ ପଢୁଥିବା ବେଳେ କାହିଁକି ବନ୍ଦ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।

ସ୍କୁଲ ପରିଚାଳନା କମିଟିର ଜଣେ ସଦସ୍ୟ କହିଛନ୍ତି ଯେ, କିଛି ବର୍ଷ ହେଲା ଦଶମ ବୋର୍ଡ ପରୀକ୍ଷାରେ ଏଠାକାର ଛାତ୍ରୀମାନେ ୟୁନିଟ୍-୯ ହାଇସ୍କୁଲ ତୁଳନାରେ ଭଲ ଫଳ କରୁଛନ୍ତି। ଏକାଧିକ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ସକ୍ଷମ ହେଉଛନ୍ତି। କିନ୍ତୁ ଏହି ବିଦ୍ୟାଳୟକୁ ୟୁନିଟ-୯ ହାଇସ୍କୁଲରେ ମିଶ୍ରଣ ଦ୍ଵାରା ଛାତ୍ରୀମାନଙ୍କ ପାଠପଢା ବହୁ ପରିମାଣରେ ପ୍ରଭାବିତ ହେବ। କାରଣ ଇତି ମଧ୍ୟରେ ୟୁନିଟ-୯ ହାଇସ୍କୁଲ ସହ ଦୁଇଟି ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ହୋଇ ସାରିଛି। ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏବେ ୭୫୨ ଛାତ୍ର-ଛାତ୍ରୀ ପଢୁଛନ୍ତି। ଯେଉଁଥିରେ ୪୪୦ ଛାତ୍ର ଏବଂ ୩୧୨ ଛାତ୍ରୀ ଅଛନ୍ତି। ହେଲେ ବାଳିକା ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ୧୦ମ ଶ୍ରେଣୀର ୩୮୧ ଛାତ୍ରୀଙ୍କୁ ସ୍ଥାନାନ୍ତର ଦ୍ଵାରା କ୍ୟାମ୍ପସରେ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୧୧୩୩ରେ ପହଞ୍ଚିବ। ଗୋଟିଏ କ୍ୟାମ୍ପସରେ ଏତେ ସଂଖ୍ୟକ ଛାତ୍ର-ଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ୟୁନିଟ-୯ ହାଇସ୍କୁଲ ସହ ମିଶ୍ରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇ ସାରିଛନ୍ତି। ତେଣୁ ଏ କ୍ଷେତ୍ରରେ ଆମେ କିଛି କରି ପାରିବୁ ନାହିଁ। ସ୍କୁଲ ମିଶ୍ରଣ ନ କରିବାକୁ ଗତ ମାସ ୧୬ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା। ଏହା ସତ୍ତ୍ଵେ ଉଭୟ ସ୍କୁଲ ମିଶ୍ରଣ ଏବଂ ରମାଦେବୀ ଯୁକ୍ତ ୨ କଲେଜକୁ ସ୍ଥାନାନ୍ତର ପାଇଁ ଚାପ ପଡ଼ୁଥିବାରୁ ଆମେ ନାଚାର ବୋଲି ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ରମାଦେବୀ ଯୁକ୍ତ ୨ କଲେଜ ଅଲଗା କରିବାକୁ ବିଶ୍ୱବିଦ୍ୟାଳୟ କୁଳପତି ଶିକ୍ଷା ବିଭାଗ ଉପରେ ଚାପ ପକାଇଥିଲେ । ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପ୍ରଭାବିତ ହେଉଥିବା ନେଇ ଦର୍ଶାଇଥିଲେ । ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍ ୯ ହାଇସ୍କୁଲ ସହ ମିଶ୍ରଣ ନେଇ ଫେବୃଆରୀ ୧୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ଅଭିଭାବକମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ । ତତ୍‌କାଳୀନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ସ୍କୁଲ୍ ବନ୍ଦ ନକରିବାକୁ ଦାବିପତ୍ର ଦେଇଥିଲେ । ଏହାପରେ ତତ୍‌କାଳୀନ ଗଣଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ବିଭାଗ ସଚିବ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ୟୁନିଟ୍ ୯ ବାଳିକା ହାଇସ୍କୁଲକୁ ୟୁନିଟ୍ ୯ ହାଇସ୍କୁଲ୍ ସହ ମିଶ୍ରଣ ନକରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ସ୍କୁଲ ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ