Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ଜଳସ୍ତର, ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଥିବାରୁ ଆଜି ଡ୍ୟାମର ଆଉ ୩ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ୮ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ବର୍ଷା ଏବଂ ଛତିଶଗଡ଼ ନିଜ ଡ୍ୟାମର ଗେଟ୍ ଖୋଲିବାରୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ସୂଚନାଯୋଗ୍ୟ, ଗତକାଲି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପ୍ରଥମେ ଗୋଟିଏ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ା ଯାଇଥିଲା। ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯିବା ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା। ଏହିହ ସମୟରେ ଜଳଭଣ୍ଡାରର ଜଳସ୍ତର ୬୧୪.୮୭ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୯୩,୦୫୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ୧,୧୭,୧୨୬ କ୍ୟୁସେକ ଜଳ ନିଷ୍କାସିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା। ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍‌ରେ ପହଞ୍ଚିଥିବା ବେଳେ ଶନିବାର ଏହି ସମୟରେ ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଞ୍ଚିଥିଲା। ଗତ ବର୍ଷ ଜୁଲାଇ ୧୮ରେ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ