ଉପରମୁଣ୍ଡରେ ବଢୁଛି ଜଳସ୍ତର, ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ଜଳସ୍ତର ବଢିବାରୁ ମଙ୍ଗଳବାର ହୀରାକୁଦର ଆଉ ୪ଟି ଗେଟ୍ ଖୋଲା ଯାଇଛି। ଏବେ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୪.୦୪ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ।
ସୂଚନାଯୋଗ୍ୟ, ଗତକାଲି ୩ଟି ଗେଟ୍ ଖୋଲା ଯାଇଥିଲା। ଏହା ପୂର୍ବରୁ ରବିବାର ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପ୍ରଥମେ ଗୋଟିଏ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ା ଯାଇଥିଲା। ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯିବା ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୧୪.୮୭ ଫୁଟ୍ ରହିଥିଲା ବେଳେ ଜଳଭଣ୍ଡାରକୁ ୯୩,୦୫୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ୧,୧୭,୧୨୬ କ୍ୟୁସେକ ଜଳ ନିଷ୍କାସିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଜୁଲାଇ ୧୮ରେ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍ ରହିଥିଲା। ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦର ତଳମୁଣ୍ଡରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଏସ୍ପିଙ୍କୁ ;ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।