Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଞ୍ଚିତ ଲୋକଙ୍କୁ ଗୁରୁତ୍ଵ ଦିଆଯାଉ, ତ୍ଵରିତ ନ୍ୟାୟ ଦେଇ ଓଡ଼ିଶା ହାଇକୋର୍ଟ ଉଦାହରଣ ସାଜୁ: ରାଷ୍ଟ୍ରପତି

କଟକ: ତ୍ଵରିତ ନ୍ୟାୟା ପ୍ରଦାନ ଉପରେ ଗୁରୁତ୍ଵ ଦେଲେ ରାଷ୍ଟ୍ରପତି। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି। ତେଣୁ ନିୟମିତ ଶୁଣାଣି ଏବଂ ତ୍ଵରିତ ନ୍ୟାୟକୁ ଗୁରୁତ୍ଵ ଦିଆଯାଉ। ବିଳମ୍ବିତ ନ୍ୟାୟ ଯୋଗୁଁ ବହୁ ନିର୍ଦ୍ଦୋଷଙ୍କ ଜେଲରେ ଜୀବନ କଟୁଛି। ଏମିତିକି ଧାର୍ଯ୍ୟ ଦଣ୍ଡଠାରୁ ଅଧିକ ସମୟ ଜେଲରେ କାଟିବାକୁ ପଡ଼ୁଛି। ନିର୍ଦ୍ଦୋଷ ଲୋକଟିର ଜୀବନର ମୂଲ୍ୟବାନ ସମୟ ଜେଲରେ କଟି ଯାଉଛି। ସେହି ବିଳମ୍ବ ହିଁ ଚିନ୍ତାର ବିଷୟ ହୋଇଛି।

ରାଷ୍ଟ୍ରପତି କହିଛନ୍ତି, ବିଳମ୍ଵିତ ନ୍ୟାୟ ଯୋଗୁଁ ପୀଡ଼ିତ ମଧ୍ୟ ହତାଶ ହୋଇ ପଡ଼ୁଛନ୍ତି। ତ୍ଵରିତ ନ୍ୟାୟ ଉଭୟ ପୀଡ଼ିତ ଏବଂ ନିର୍ଦ୍ଦୋଷଙ୍କୁ ସହାୟ ହେବ। ଏକଥା ଆଗରୁ ମଧ୍ୟ କହିଥିବା କହିଛନ୍ତି ରାଷ୍ଟ୍ରପତି। ତ୍ଵରିତ ନ୍ୟାୟ ଦେଇ ଓଡ଼ିଶା ହାଇକୋର୍ଟ ଉଦାହରଣ ସାଜୁ। ସମାଜର ଅନେକ ବର୍ଗ ଆଇନ କାନୁନ ବିଷୟରେ ସଚେତନ ନାହାନ୍ତି। ଆର୍ଥିକ ଦୁଃସ୍ଥିତି ପାଇଁ ସେମାନଙ୍କର ନ୍ୟାୟାଳୟ ପାଖରେ ପହଞ୍ଚିବାର ସାମର୍ଥ୍ୟ ନ ଥାଏ। ବଞ୍ଚିତ ଲୋକଙ୍କୁ କିଭଳି ନ୍ୟାୟ ମିଳିବ ଆମର କର୍ତ୍ତବ୍ୟ ହେବା ଉଚିତ୍। ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ଵାରା ମାଗଣା ଆଇନ ସେବା ମିଳୁଥିବା ଜାଣି ଖୁସି ହେଲି। ଅନେକ ଆଇନଜୀବୀ ମଧ୍ୟ ମାଗଣା ଆଇନ ସହାୟତା ଯୋଗାଇ ଦେଉଛନ୍ତି। ଏହା ଦ୍ଵାରା ସାଧାରଣ ଲୋକ ସହଜରେ ନ୍ୟାୟା ପାଇବେ ବୋଲି ଆଶା କରାଯାଉଛି।

ଏହା ପୂର୍ବରୁ ରାଷ୍ଟ୍ରପତି ସଡ଼କ ପଥରେ ସ୍ୱତନ୍ତ୍ର କାରକେଡର ସହ କଟକ ଆସି ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମନ୍ଦିର ନିକଟରେ ହୁଳୁହୁଳିରେ କମ୍ପିଉଠିଲା ପରିବେଶ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଉଭୟଙ୍କୁ ମନ୍ଦିରର ନୀତିକାନ୍ତି ସଂପର୍କରେ ସବିଶେଷ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ