Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମାନସିକ ଶାନ୍ତି ପାଇଁ ନୁହେଁ ଯଶ ଓ କ୍ଷମତା ପଛରେ ଧାଇଁ ଧାଇଁ ମଣିଷ ଆଜି କ୍ଳାନ୍ତ ହୋଇ ପଡ଼ିଛି’

ଭୁବନେଶ୍ଵର: ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି। ଶ୍ରୀମତି ମୁର୍ମୁ କହିଛନ୍ତି, ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ସଂପର୍କ ରହିଛି। ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା। ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି। ପରିବର୍ତ୍ତନ ହିଁ ସତ୍ୟ, ସ୍ରୋତ ପରି ସମୟ ମଧ୍ୟ ଦ୍ରୁତ ପରିବର୍ତ୍ତନ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ଥିଲେ।

ସେ କହିଛନ୍ତି, ସମୟ ଆପେ ଆପେ ବଦଳି ଥାଏ ନା ମଣିଷ ତାକୁ ବଦଳାଏ। ବ୍ରହ୍ମାକୁମାରୀ ସଂସ୍ଥାର ବିଚାର ହେଉଛି ବ୍ୟକ୍ତି ବଦଳିଲେ ସମାଜ ବଦଳିବ। ମାନସିକ ଶାନ୍ତି ନ ଥିଲେ ଜଣେ ପ୍ରକୃତ ଶାନ୍ତି ପାଇବ ନାହଁ। ମାନସିକ ଶାନ୍ତି ପାଇଲେ ହିଁ ଆମେ ଶାନ୍ତି ପାଇ ପାରିବା। ଆମ ଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକ ଶିକାର ହେଉଛୁ। ମାନସିକ ଯଶ, କ୍ଷମତା ପଛରେ ଧାଇଁ ଧାଇଁ ମଣିଷ ଆଜି କ୍ଳାନ୍ତ ହୋଇ ପଡିଛି। ଅଜ୍ଞତା ହେତୁ ନିଜ ଭିତରେ ଥିବା ସଦଗୁଣକୁ ଆମେ ଚିହ୍ନି ପାରୁନୁ ବୋଲି ରାଷ୍ଟ୍ରପତି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଦିନ ତମାମ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ପ୍ରଥମେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ। ପରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ଏହା ପରେ ଆଇନ ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଉଲ୍ଲେଖନୀୟ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ