ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କଲେ SRC, ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ମୁତୟନ

ଭୁବନେଶ୍ଵର: ରାଜ୍ୟରେ ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିସନର। ୧୭ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ପାଇଁ ପରାମର୍ଶ ଦେଇଛନ୍ତି। ୨ ଦିନ ଅଧିକ ବର୍ଷା ହେବାକୁ ଥିବାରୁ ୪ ଜିଲ୍ଲା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
କେନ୍ଦୁଝର ଓ ସମ୍ବଲପୁର ପାଇଁ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ନଦୀ ଏବଂ ଜଳଭଣ୍ଡାରର ସ୍ଥିତି ନେଇ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଉଛି। ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଓ କେନ୍ଦୁଝର ପରେ ଦେବଗଡ଼ ସମେତ ୧୩ ଜିଲ୍ଲାରେ ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ। ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭୀଷଣ ବର୍ଷା ନେଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କାଲି ପର୍ଯ୍ୟନ୍ତ ୫ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।