Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଘୁଚାପର ପ୍ରଭାବ ନାହିଁ, ଆଜିଠୁ ୩ ଦିନ ରାଜ୍ୟରେ ଶୁଖିଲା ପାଗ  

ଭୁବନେଶ୍ଵର: ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ ଶୁକ୍ରବାର ରହିଥିବା ଲଘୁଚାପ କ୍ଷେତ୍ର ଶନିବାର ଉତ୍ତର ଛତିଶଗଡ଼ ତଥା ସଂଲଗ୍ନ ଅଞ୍ଚଳରେ ରହିଛି। ଫଳରେ ରାଜ୍ୟରେ ଆଉ ଲଘୁଚାପର ପ୍ରଭାବ ନାହିଁ। ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଫଳରେ ଆସନ୍ତା ୩ ଦିନ ରାଜ୍ୟର ପାଗ ଶୁଖିଲା ତଥା ଖରାଟିଆ ରହିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ୨୩ ତାରିଖରୁ ରାଜ୍ୟରେ ପୁଣି ବର୍ଷା ପ୍ରଭାବ ବଢ଼ିପାରେ। ୨୩ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ‌ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷିପାରେ। ରବିବାର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ ଓ ହାଲୁକା ବର୍ଷା ମଧ୍ୟ ହୋଇପାରେ।

ସୂଚନାଯୋଗ୍ୟ, ରାଜ୍ୟରେ ଅଦ୍ୟାବଧି ବର୍ଷା ସ୍ୱାଭାବିକଠୁ କମ ରହିଛି। ଏ ପର୍ଯ୍ୟନ୍ତ ସ୍ଵାଭାବିକ ଭାବେ ୭୮୬ ମିମି ବର୍ଷା ଜାଗାରେ ୭୩୩ ମିମି ବର୍ଷା ହୋଇଛି। ଏବେ ମଧ୍ୟ ୯ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ  ୧୯ଟି ଜିଲ୍ଲାରେ ସ୍ଵାଭାବିକ ବୃଷ୍ଟିପାତ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ୪୦ ପ୍ରତିଶତରୁ କମ ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡା, ଗଞ୍ଜାମ, ରାୟଗଡ଼ା, ଯାଜପୁର, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ନିଆଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ