ଏନଏଚଆରସି ଗଲା ମହିଳା ହୋମଗାର୍ଡ ନିର୍ଯାତନା ମାମଲା, ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କଟକ: ନିର୍ଯାତନା ପାଇଁ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ରେ ମାମଲା ଦାୟର ହୋଇଛି। ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି। ଏଥିରେ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅପିଲ୍ କରାଯାଇଛି। ପୀଡ଼ିତା ହୋମଗାର୍ଡଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ଅପିଲ୍ କରାଯାଇଛି। ଏହି କ୍ଷତିପୂରଣ ରାଶି ଡିଆଇଜିଙ୍କ ଦରମାରୁ କାଟିବା ପାଇଁ ଏତଲାରେ ଆବେଦନ କରାଯାଇଛି। ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ସହି ନ ପାରି ମହିଳା ହୋମଗାର୍ଡ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଟ୍ରେନ ଲାଇନରେ ଶୋଇ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିଥିଲେ ହେଁ ବଞ୍ଚି ଯାଇଥିଲେ। କିନ୍ତୁ ସେ ସବୁ ଦିନ ପାଇଁ ନିଜର ଦୁଇ ଗୋଡ଼ ହରାଇଛନ୍ତି।

ସୂଚନା ଅନୁଯାୟୀ, ଅନୁଗୋଳର ରାଣୀଗୋଡ଼ାର ସୈରିନ୍ଦ୍ରୀ ସାହୁ ଗତ ୧୯ ବର୍ଷ ଧରି ହୋମଗାର୍ଡ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ସାତ ମାସ ହେବ ଅନୁଗୋଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରେ ତାଙ୍କୁ ଘରୋଇ କାମରେ ନିୟୋଜିତ କରାଯାଇଥିଲା। ସେଠାରେ ତାଙ୍କ ଦ୍ଵାରା ଯାବତୀୟ କାମ କରାଯାଉଥିଲା ଏବଂ ଟିକେ ଭୁଲ୍ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିବା ସହ ବିଭିନ୍ନ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଚାକିରି ନେଇଯିବାର ଧମକ ମଧ୍ୟ ଦେଉଥିଲେ। ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଧକ୍କା ମାରି ଘରୁ ବାହାର କରି ଦେଇଥିଲେ। ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲେ ହେଁ ପୋଲିସ ତଦନ୍ତ କିନ୍ତୁ ଆଗକୁ ବଢି ପାରି ନାହିଁ। ମହିଳା ହୋମଗାର୍ଡ ଜଣକ ଏ ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାକୁ ଚାପି ଦେବାକୁ ଜୋରଦାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।