Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟରେ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ, ଚାଷ ପାଇଁ ସୃଷ୍ଟି କଲା ବିପଦ

ଭୁବନେଶ୍ୱର:  ଚଳିତ ଅଗଷ୍ଟରେ ଗତ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି। ଚାଷ ପାଇଁ ଗୁରୁତ୍ଵପୂର୍ଣ୍ଣ ମାସ ହେଉଛି ଅଗଷ୍ଟ। ଧାରା ଶ୍ରାବଣ ମାସରେ ବି ବର୍ଷା ଉଭାନ। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସଙ୍କ ଅନୁଯାୟୀ, ଚଳିତ ଅଗଷ୍ଟ ମାସରେ ୧ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ। ଗତ ୫ ବର୍ଷର ଅଗଷ୍ଟମାସର ବର୍ଷାକୁ ସମୀକ୍ଷା କଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ସଙ୍କେତ ଦେଉଛି ଯେ ପାଗରେ ବଡ଼ ପରିବର୍ତ୍ତନ ହେଲାଣି। ୨୦୧୭ ପରଠାରୁ ମୌସୁମୀ ବର୍ଷାର ଚିତ୍ରକୁ ଦେଖିଲେ, ଅଗଷ୍ଟ ଶେଷ ସୁଦ୍ଧା ଅନୁଭୂତ ହେଉଥିବା ବର୍ଷାକୁ ଦ୍ୱିତୀୟ ନିଅଣ୍ଟିଆ ବର୍ଷ ବୋଲି ଗଣନା କରାଯାଇପାରିବ। ଅଗଷ୍ଟ ମାସରେ ସ୍ଵାଭାବିକ ଭାବେ ୩୬୩.୮ ମିମି ବର୍ଷା ହୋଇଥାଏ।

ରାଜ୍ୟରେ ମୌସୁମୀ ପ୍ରବାହ ପାଖାପାଖି ୧୧ ଦିନ ଦୁର୍ବଳ ରହିଛି। ଏଣେ ଏଭିତରେ ଆଉ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। କିଛି ମଡେଲ୍ କହୁଛି, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ। କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି। ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ବିଳମ୍ବରେ ଓଡ଼ିଶାକୁ ଛୁଇଁଥିବା ବେଳେ ପ୍ରଥମ କିଛି ଦିନ ବିଶେଷ ବର୍ଷା ହୋଇ ନ ଥିଲା। ଜୁନର ନିଅଣ୍ଟିଆ ବର୍ଷା ସ୍ଥିତିକୁ ଜୁଲାଇର ବର୍ଷା କିଛି ମାତ୍ରାରେ ଭରଣା କରିଥିଲା। ତଥାପି କିଛି ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ ନିଅଣ୍ଟିଆ ଥିଲା। ଏମିତି ସ୍ଥିତିରେ ଅଗଷ୍ଟ ମାସର ସ୍ଥିତି ପାଣିପାଗ ବିଶେଷଜ୍ଞଙ୍କୁ ଚକିତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ