World Cup 2023: ବିଶ୍ଵକପ୍ ପାଇଁ ଭାରତର ୧୫ ଜଣିଆ ଦଳ ଚୂଡ଼ାନ୍ତ, ଶୀଘ୍ର ହେବ ଘୋଷଣା


ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ଵକପ୍ ୨୦୨୩ ପାଇଁ ଭାରତୀୟ ଦଳର ୧୫ ଜଣିଆ ଦଳ ସ୍ପଷ୍ଟ ହୋଇ ଯାଇଛି। ଚୟନକର୍ତ୍ତା ବିଶ୍ଵକପ୍ ପାଇଁ ଭାରତର ୧୫ ଜଣିଆ ଦଳ ଚୂଡ଼ାନ୍ତ କରି ସାରିଛନ୍ତି। ଏସିଆ କପ୍ ପାଇଁ ଯେଉଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି, ସେଥିରୁ ୩ ଜଣ ଖେଳାଳି ବାଦ୍ ପଡ଼ିଛନ୍ତି। ଜାତୀୟ ଚୟନକର୍ତ୍ତା ଖୁବ୍ ଶୀଘ୍ର ବିଶ୍ଵକପ୍ ପାଇଁ ଦଳ ଘୋଷଣା କରି ପାରନ୍ତି।
ରିପୋର୍ଟ ଅନୁଯାୟୀ, ମଧ୍ୟକ୍ରମ ବ୍ୟାଟର ତିଳକ ବର୍ମା, ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଓ ଓ୍ଵିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ବିଶ୍ଵକପ୍ ପାଇଁ ଚୟନ କରାଯାଇ ନାହିଁ। ଅନ୍ୟପଟେ ବିସିସିଆଇର ଡାକ୍ତରୀ ଦଳ ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲଙ୍କୁ ସଂପୂର୍ଣ୍ଣ ଫିଟ୍ ଘୋଷଣା କରିଛନ୍ତି। ସେ ଶୀଘ୍ର ଶ୍ରୀଲଙ୍କାରେ ଭାରତୀୟ ଦଳ ସହ ଯୋଗ ଦେବେ। ଏଥିସହ ବିଶ୍ଵକପ୍ ଖେଳିବା ନେଇ ତାଙ୍କର ପଥ ପରିଷ୍କାର ହୋଇଛି।
ଏହି ୧୫ ଖେଳାଳି ବିଶ୍ଵକପ୍ ପାଇଁ ଚୟନ
ବିଶ୍ଵକପ୍ ପାଇଁ ଯେଉଁ ୧୫ ଖେଳାଳିଙ୍କ ନାଁ ଆପାତଃ ସ୍ପଷ୍ଟ ହୋଇ ସାରିଛି ସେଥିରେ ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ ଓ ଇଶାନ କିଷନ ସାମିଲ୍। ତିନି ଅଲରାଉଣ୍ଡର, ଜଣେ ମୁଖ୍ୟ ସ୍ପିନର ଏବଂ ୪ ଦ୍ରୁତ ବୋଲରଙ୍କୁ ଦଳରେ ସ୍ଥାନ ମିଳିଛି। ଏଥିରେ ଅକ୍ଷର ପଟେଲ୍, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ସାମିଲ୍। ଦ୍ରୁତ ବୋଲର ଭାବେ ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ସାମିଲ୍।
୨୦୨୩ ଦିନିକିଆ ବିଶ୍ଵକପ୍ ପାଇଁ ଭାରତର ୧୫ ଜଣିଆ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ(ରିଜର୍ଭ ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।