Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶପଥ ନେଲେ ୨ ନୂତନ ବିଚାରପତି, ଓଡ଼ିଶା ହାଇକୋର୍ଟରେ ଜଜ୍ ସଂଖ୍ୟା ୨୨ବୃଦ୍ଧି

କଟକ: ହାଇକୋର୍ଟର ନୂତନ ବିଚାରପତି ଭାବେ ମଙ୍ଗଳବାର ଶପଥ ନେଇଛନ୍ତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତଳପାତ୍ର। ଦୁଇ ନୂଆ ବିଚାରପତିଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି।

ସୂଚନାଯ‌ୋଗ୍ୟ, ୨୦୨୩ ଅଗଷ୍ଟ ୧୭ରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବିଶିଷ୍ଟ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ବେହେରାଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଅାଇନଜୀବୀ ଶିବ ଶଙ୍କର ମିଶ୍ର ୧୯୯୧ ମସିହାରେ ଓକିଲାତି ପେସାକୁ ଆରମ୍ଭ କରିଥିଲେ । ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି । ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮ ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ ।

ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି ।ଆନନ୍ଦ ଚନ୍ଦ୍ର ବେହେରା ୧୯୬୪ ମେ’ ୨୩ରେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ । ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ । ୨୦୦୪ରେ ସେ ଫାଷ୍ଟଟ୍ରାକ୍ ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୧୩ରେ ଜିଲ୍ଲା ଜଜ୍ ରେଗୁଲାର କ୍ୟାଡ଼ରରେ ଯୋଗ ଦେଇଥିଲେ । ରାଜ୍ୟ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଜଜ୍ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ