ଗୀତା ମେହେଟ୍ଟାଙ୍କ ଶେଷ କୃତ୍ୟ ସଂପନ୍ନ, ପୁଅ ଆଦିତ୍ୟ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖିକା, ଫିଲ୍ମ ନିର୍ମାତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଆଜି ଶେଷ କୃତ୍ୟ ସଂପନ୍ନ ହୋଇଛି। ଦିଲ୍ଲୀ ଲୋଦି ରୋଡ୍ ଶ୍ମଶାନ ଘାଟରେ ଗୀତା ମେହେଟ୍ଟାଙ୍କୁ ପୁଅ ଆଦିତ୍ୟ ସିଂ ମେହେଟ୍ଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ପରିବାରର ସଦସ୍ୟ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଅନଙ୍ଗ ଉଦୟ ସିଂ ଦେଓ, ବୈଜୟନ୍ତ ପଣ୍ଡା, ସାଂସଦ ପିନାକୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ବିଜେଡିର ବହୁ ସାଂସଦ ଓ ନେତୃବୃନ୍ଦ ଶେଷକୃତ୍ୟରେ ସାମିଲ୍ ହୋଇଥିଲେ।
ସୂଚନାଯୋଗ୍ୟ, ଶନିବାର ରାତିରେ ୮୦ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଥିଲା। । ସେ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା। ପ୍ରଖ୍ୟାତ ଲୋଖିକା ଗୀତା ମେହଟ୍ଟାଏକାଧାରରେ ଥିଲେ ଲେଖିକା, ସାମ୍ବାଦିକା, ଫିଲ୍ମ ନିର୍ଦ୍ଦେଶିକା, ବୃତ୍ତଚିତ୍ର ନିର୍ମାତା। ଶନିବାର ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ବିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ୧୯୪୩ରେ ଗୀତା ମେହେଟ୍ଟାଙ୍କ ଜନ୍ମ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ପହଞ୍ଚି ଭଉଣୀଙ୍କ ଶେଷ ଦର୍ଶନ କରିଥିଲେ।