ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ, ତଥାପି ୩ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି

ଭୁବନେଶ୍ୱର: ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ ଆସିଲାଣି। ଏ ନେଇ ପାଗ ଅନୁକୂଳ ରହିଛି। ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। କିଛି ଜିଲ୍ଲାରେ ମାତ୍ରାଧିକ ବର୍ଷା ହୋଇଥିବା ବେଳେ ଆଉ ତିନି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଉପୁଜିଛି।
ପାଣିପାଗ ବିଭାଗ ଅନୁଯାୟୀ ଜୁନ୍ ୧ ରୁ ସେପ୍ଟେମ୍ବର ୨୪ ଭିତରେ ରାଜ୍ୟରେ ୧୦୮୪ମିମି ବର୍ଷା ହୋଇଛି । କିନ୍ତୁ ସ୍ୱାଭାବିକ ଭାବେ ୧୧୨୦ମିମି ବର୍ଷା ହେବା କଥା । ଯାହା ସ୍ୱାଭାବିକ ତୁଳନାରେ ସାମାନ୍ୟ କମ୍ ବର୍ଷା ହୋଇଛି । ରାଜ୍ୟର ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇ ଥିବାବେଳେ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଆଉ ୩ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି ।
ଢେଙ୍କାନାଳ, ବୌଦ୍ଧ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇଥିବା ବେଳେ କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ନିଅଣ୍ଟିଆ ସ୍ଥିତି ଏବେ ମଧ୍ୟ ରହିଛି। ସେପଟେ ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଉତ୍ତର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।